ପୁରୀ: ଆଜି (ଶୁକ୍ରବାର) ଆଷାଢ କୃଷ୍ଣ ଦଶମୀ ତିଥି । ଅଣସର ଗୃହରେ ହେବ ମହାପ୍ରଭୁଙ୍କ ଚକାବିଜେ ନୀତି ସମ୍ପନ୍ନ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରାରେ ଗାଧୋଇବା ପରେ ଜ୍ବରରେ ପୀଡିତ ଶ୍ରୀବିଗ୍ରହଙ୍କ ଶାସ୍ତ୍ରାନୁମତେ ଚାଲିଛି ଚିକିତ୍ସା । ଶ୍ରୀଜିଉଙ୍କ ଗୁପ୍ତନୀତି ଓ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି ଦାରୁବିଗ୍ରହ । ଏହି ଚକାବିଜେ ନୀତି ସମ୍ପନ୍ନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବେ ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବା ସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୌଷଧି ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିବେ ଆଉ ଏହି ମୋଦକକୁ ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଲାଗି ହେବ ।
ଦଶମୀ ଦିନ କଳା ମୁଗୁନି ପ୍ରସ୍ତର ନିର୍ମିତ ତିନିଗୋଟି ଚକା ଉପରେ ବିଗ୍ରହମାନଙ୍କୁ ବିଜେ କରାଇ ଦଇତାପତିମାନେ କୁଙ୍କୁମ, ଚନ୍ଦନ ଶ୍ରୀଅଙ୍ଗରେ 'ଶ୍ବେତଅଙ୍ଗରାଗ' ଲେପନ କରିଥାନ୍ତି । ନବମୀ ପର୍ଯ୍ୟନ୍ତ ଶ୍ବେତଅଙ୍ଗରାଗ ଲାଗି ହେଉଥିବା ବେଳେ ଦଶମୀଠାରୁ ପୂର୍ଣ୍ଣ ଅଙ୍ଗରାଗ ଲାଗି ହୋଇଥାଏ ।