ଭୁବନେଶ୍ବର: ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନବ ଦାସ ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଏହା ପଛରେ ଥିବା ବଡ଼ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଏଭଳି ମିଛ ଥିଓରୀ ସବୁ ଅଣାଯାଉଛି ବୋଲି କହିଛି ବିଜେପି ।
ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ ଉଠାଇ କହିଛନ୍ତି, "ଯଦି ବାସ୍ତବରେ ଗୋପାଳକୁ ଭୟ ଥିଲା ଆଉ ମନୋଜ ବରିହା ଯଦି ତାକୁ କହିଥିଲା ନବ ଦାସ ରାଗିଛନ୍ତି ବୋଲି, ତେବେ ସେ ଏତେଦିନ ପରେ କାହିଁକି ଏମିତି କଲା ? ୨୦୧୦ର ଘଟଣାକୁ ନେଇ ୨୦୨୩ରେ ଗୋପାଳ ନବ ଦାସଙ୍କୁ ଗୁଳି ମାରିଲା । ୧୩ ବର୍ଷ ପରେ ପୁରୁଣା କଥାକୁ ମନେ ପକାଇ ଗୋପାଳ ଗୁଳି କରିଦେବା ହଜମ ହେଉନି । ଚାର୍ଜସିଟ୍ରେ ଯାହା ଲେଖା ଯାଇଛି ଯଦି ବାସ୍ତବରେ ସେମିତି ହୋଇଥାନ୍ତା, କ୍ରାଇମବ୍ରାଞ୍ଚ ଛାତିପିଟି ସାମ୍ବାଦିକ ସମ୍ମିଳନୀରେ କହିଥାନ୍ତା । କିନ୍ତୁ କ୍ରାଇମବ୍ରାଞ୍ଚ ବି ଜାଣିଛି ସତ୍ୟତା କଣ । ସେଥିପାଇଁ ଲୋକ ଓ ମିଡିଆଠାରୁ ବର୍ତ୍ତିବା ପାଇଁ ଏଭଳି ମିଛ ଥିଓରୀ ସବୁ ଅଣାଯାଉଛି । ଘଟଣା ପଛର ଖଳନାୟକମାନଙ୍କୁ ସୁରକ୍ଷା ଦେବାପାଇଁ କ୍ରାଇମବ୍ରାଞ୍ଚର ଏ ଚାର୍ଜସିଟ୍ ।"