ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ତାଙ୍କ ସ୍ମୃତିରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜୁବାବୁଙ୍କ ତିରୋଧାନ ଦିବସରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦୀପଦାନ ଅନୁଷ୍ଠିତ ହୋଇଥିଲା । ପରେ ମେଡିକାଲ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ସଫେଇ କାର୍ଯ୍ୟକ୍ରମ ସହ ୟୁଥ୍ ହଷ୍ଟେଲ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଜନତା ଦଳର ବହୁ ବରିଷ୍ଠ ନେତା, କର୍ମୀ ଓ ଅନେକ ଛାତ୍ରଛାତ୍ରୀ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ ।
ସେପଟେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସ୍ମୃତି ଚାରଣ କରାଯାଇଥିଲା । ବିଜୁ ବାବୁ ସବୁବେଳେ ଲୋକଙ୍କ ସେବାରେ ଥିବାରୁ ଓଡ଼ିଶାବାସୀଙ୍କ ସେବାରେ ସର୍ବଦା ନିମଗ୍ନ ହେବାକୁ ଯୁବପିଢିଙ୍କୁ ଆହ୍ବାନ ଦେଇଥିଲେ ବରିଷ୍ଠ ବିଜେଡି ନେତା ତଥା ପୁରୀ ଜିଲ୍ଲା ବିଜେଡ଼ିର ସଭାପତି ମହେଶ୍ଵର ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମହାନ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଶାର ବିକାଶ ଦିଗରେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ନିଜ ରାଜ୍ୟ ଏବଂ ମାଟିକୁ ବେଶ୍ ଭଲ ପାଉଥିଲେ। ଏଣୁ ଆଜିର ଯୁବପିଢି ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ବିକାଶ ଦିଗରେ ସାମିଲ ହେବାନେଇ ଏକ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଛି ।"