ପୁରୀ:ବିଜୁ ଜନତା ଦଳ ଦଳ ଗଠନକୁ ଚଳିତ ବର୍ଷ ଡିସେମ୍ବର 26ରେ 25 ବର୍ଷ ପୂରଣ ହେବ । ଦଳର ପ୍ରତିଷ୍ଠା ଦିବସକୁ ରୌପ୍ୟ ଜୟନ୍ତୀ ଭାବେ ପାଳନ କରିବେ କର୍ମକର୍ତ୍ତା । ଆସନ୍ତା ଡ଼ିସେମ୍ବର ୨୬ରେ ତାଳବଣିଆ ପଡ଼ିଆରେ ବିଜେଡି ତାର ୨୫ତମ ପ୍ରତିଷ୍ଠା ଦିବସ ଜଗନ୍ନାଥ ଧାମରେ ପାଳନ କରିବ। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ପୁରୀରୁ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ । ଏଥିପାଇଁ ବିଧାୟକ ପ୍ରଣବ ବଳବନ୍ତରାୟ ପୁରୀ ଆସି ତାଳବଣିଆରେ ବିଜେଡି ପ୍ରତିଷ୍ଠା ଦିବସ ସମାରୋହରେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି ।
ଆସନ୍ତା ୨୬ ତାରିଖରେ ତାଳବଣିଆ ପଡ଼ିଆରେ ଏକ ବିରାଟ ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ପ୍ରତି ଜିଲ୍ଲାର ହଜାରହଜାର ବିଜେଡି କର୍ମୀ ଓ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଶଙ୍ଖ କ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଦଳ ଆଗାମୀ ଅଭିଯାନ ଆରମ୍ଭ କରିବ ବୋଲି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।
ତେବେ ସୂଚନା ଅନୁଯାୟୀ ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବା ପରେ ସିଧାସଳଖ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଦଳର ରୌପ୍ୟ ଜୟନ୍ତୀ ତଥା ୨୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ । ଦଳକୁ ତୃଣମୂଳ ସ୍ତରରେ କିଭଳି ଅଧିକରୁ ଅଧିକ ମଜବୁତ କରାଯିବା ସହ ୨୦୨୪ ନିର୍ବାଚନ ପାଇଁ ସମସ୍ତେ ଏକ ମିଶନ୍ ମୋଡରେ କିଭଳି କାର୍ଯ୍ୟ କରିବେ ସେନେଇ ଦଳର କର୍ମୀ ଓ ନେତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବା ସହ ପରାମର୍ଶ ଦେବେ । ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ବିଜେଡି କର୍ମୀ ଓ ନେତାମାନେ ବେଶ୍ ଉତ୍ସାହିତ ଅଛନ୍ତି । ଦଳର ୨୫ତମ ପ୍ରତିଷ୍ଠା ଦିବସକୁ କିଭଳି ସଫଳ କରି ହେବ ସେନେଇ ବିଜେଡି ନେତା ଓ କର୍ମୀମାନେ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି ।