ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଆଜି ପଞ୍ଚୁକର ଦ୍ବିତୀୟ ଦିନ ବା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେବ(Banka Chuda Besha Of Lord Jagannath) । ସମସ୍ତ ନୀତିକାନ୍ତି ବଢ଼ି ଅବକାଶ ନୀତି ସମ୍ପନ୍ନ ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।
ପୁରାଣ ଅନୁଯାୟୀ, ଯେତେବେଳେ ଅକ୍ରୁର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରା ଆଣିବାକୁ ଗୋପପୁରକୁ ଯାଇଥିଲେ । ସେ ସମୟରେ ବ୍ରଜ ଦାଣ୍ଡରେ ଅକ୍ରୁର ବାଙ୍କଚୂଡ଼ ବେଶରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଥିଲେ । ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି । ଏହି ବେଶରେ ଠାକୁରମାନେ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୂଡା ବା ଚୂଳ ଦକ୍ଷିଣ ଦିଗକୁ ଢଳି ରହିଥାଏ । ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୂଡ଼ ବେଶ କୁହାଯାଏ ।