ପୁରୀ:ସତ୍ୟବାଦୀ ବ୍ଲକରେ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ(flood damage assessment)ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ବନ୍ୟା ପୀଡ଼ିତଙ୍କୁ ଖୁବଶୀଘ୍ର ସରକାରୀ ସାହାଯ୍ୟ ମିଳିବ । ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ଏନେଇ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଫସଲ ହାନିର କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ସତ୍ୟବାଦୀ ବ୍ଲକର ଜମାରସୁଆଁ ନିକଟରେ ନୂଆନଈରେ ବନ୍ଧ ଭୁଶୁଡି ପଡିବା ଘଟଣା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ଯେଉଁଠି ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି ତାକୁ ମରାମତି ସହ ସୁଦୃଢ କରିବା ପାଇଁ କୁହାଯାଇଛି ବୋଲି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ କହିଛନ୍ତି।
ଚଳିତ ବନ୍ୟାରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୧୧ଟି ପଞ୍ଚାୟତର ଅନେକ ଗାଁ ପ୍ରଭାବିତ ହୋଇଥିଲା । ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାଜଳ ପ୍ରଭାବରେ ନନ୍ଦୀଗୋରଡ଼ା କେନାଲ ବନ୍ଧ ରାସ୍ତାରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ଏହି ଘାଇ ଦ୍ଵାରା ବ୍ଲକ୍ର କେତକୀପାଟଣା, ବଳରାମପୁରଗଡ଼ ପଞ୍ଚାୟତର ୯ଟି ଗ୍ରାମ ବିଶେଷ ପ୍ରଭାବିତ ହୋଇଥିଲେ । କେତକୀପାଟଣା ପଞ୍ଚାୟତର ନନ୍ଦୀ ଗୋରଡ଼ା, ନାହକସାହି, ଦେଉଳପାରୀ, ବିଶ୍ଵନାଥଦେଉଳି, ବାଲିଉପର, ନୂଆ ବୁଢ଼ାକେରା ଏବଂ ପୁରୁଣା ବୁଢ଼ାଜେରା ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହେବା ସହ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ଶତାଧିକ ବନ୍ୟା ବିପନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଦ୍ୟାଳୟ କୋଠରୀରେ ଆଶ୍ରୟ ନେଇଥିଲେ । ବନ୍ୟାରେ ଫସଲ କ୍ଷୟକ୍ଷତିର ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ସରକାରଙ୍କ ଘୋଷଣା ଅନୁଯାୟୀ ବନ୍ୟା ପୀଡ଼ିତଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରାଯିବ ।