ଓଡିଶା

odisha

ETV Bharat / state

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, ପଣା ଅପେକ୍ଷାରେ ଅଶରୀରୀ

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ରଥରେ ଥିବା ପାର୍ଶ୍ୱଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀଙ୍କ ଉଦ୍ଧାର ନିମନ୍ତେ ଏହି ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ଅଧିକ ପଢନ୍ତୁ

By

Published : Jun 30, 2023, 10:39 AM IST

Adharapana ritual at puri
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ:ନବଦିନାତ୍ମକ ଯାତ୍ରା ସାରି ବଡ ଦେଉଳକୁ ଫେରିଥିବା ବଡଠାକୁରଙ୍କର ସୁନାବେଶ ସମ୍ପର୍ଣ୍ଣ ହୋଇଛି । ଆଜି ଆଷାଢ ଶୁକ୍ଳ ଦ୍ବାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଥାଏ, ସେଥିପାଇଁ ଏହି ପଣା ଭୋଗକୁ 'ଅଧରପଣା' ବୋଲି କୁହାଯାଏ । ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ଲାଗି ଅନୁଷ୍ଠିତ ହେବ । ରଥରେ ଥିବା ପାର୍ଶ୍ୱଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ଏହି ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି (ଶନିବାର) ନିଳାଦ୍ରୀ ବିଜେ ।

ରଥ ଉପରେ ତିନିଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତୀ ପୂର୍ବରୁ ଏହି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଯିବ । ଭୋଗ ହେବା ପରେ ପଣା ଥିବା ହାଣ୍ଡି ଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥ ଗୁଡ଼ିକରେ ଥିବା ପାର୍ଶ୍ୱଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହି ଆସିଛି । ସନ୍ଧ୍ୟା 8ଟାରେ ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତୀ ନିର୍ଘଣ୍ଟ ହୋଇଛି ।

ଏହା ବି ପଢନ୍ତୁ...ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଅପୂର୍ବ ଦୃଶ୍ୟ ଦେଖି ଭିଜିଲା ଭକ୍ତ ଆଖି

ଏହା ବି ପଢନ୍ତୁ...Suna Besha: ଆଃ..କି ସୁନ୍ଦର ଦୃଶ୍ୟ, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ଅଧରପଣା ନୀତି ପଛରେ ସ୍ଵତନ୍ତ୍ର ତତ୍ତ୍ବ ରହିଛି । ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି କରାଯାଏ । ପୌରାଣିକ ବର୍ଣ୍ଣନାନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରୀରୀମାନେ ଯାତ୍ରା କରିଥାନ୍ତି । ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି । ଏହି ପଣା ପାନ କରି ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ । ବିଶ୍ବାସ ରହିଛି ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ରଥଯାତ୍ରାକୁ ଚାହିଁ ବସିଥାନ୍ତି । ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details