ଓଡିଶା

odisha

ETV Bharat / state

ସତ୍ୟବାନ ସାଜିଲା ସଇତାନ, ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀକୁ କଲା ହତ୍ୟା

ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀ ଦେହରେ କିରୋସିନି ଢାଳି ଜାଳି ଦେଲା ସ୍ବାମୀ । ପୁରୀ ଜିଲ୍ଲା ନିମାପଡା ଥାନା  ଗଡ଼ଅନ୍ତୁଆର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତରଡାପଡା ଜେନା ସାହି ଗ୍ରାମରେ ଘଟିଛି ଏଭଳି ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 3, 2019, 1:59 PM IST

ପୁରୀ: ସମସ୍ତ ମହିଳାଙ୍କ ଭଳି ସେ ମଧ୍ୟ ଆଜି କରିଥାନ୍ତେ ସାବିତ୍ରୀ ବ୍ରତ । ସାବିତ୍ରୀ ସାଜି ନିଜ ସତ୍ୟବାନ ସ୍ବାମୀର ଦୀର୍ଘାୟୁ ପାଇଁ ବ୍ରତ ରଖିଥାନ୍ତେ । କିନ୍ତୁ ସେହି ସ୍ବାମୀ ସାଜିଲା ସଇତାନ । ଯୌତୁକ ପାଇଁ ନିଜ ସ୍ତ୍ରୀ ଦେହରେ କିରୋସିନି ଢାଳି ଜାଳି ଦେଇଛି । ପୁରୀଜିଲ୍ଲା ନିମାପଡା ଥାନା ଗଡ଼ଅନ୍ତୁଆର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତରଡାପଡା ଜେନା ସାହି ଗ୍ରାମରେ ଘଟିଛି ଏଭଳି ଘଟଣା ।

ଗ୍ରାମର କୃଷ୍ଣଚନ୍ଦ୍ର ଜେନା ସ୍ତ୍ରୀ ଦୀପ୍ତିମୟୀ ରାୟଙ୍କୁ ଗତକାଲି ବିଳମ୍ବିତ ରାତିରେ କିରୋସିନି ଢାଳି ପୋଡି ମାରିଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ନିମାପଡା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏଥିରେ ସମ୍ପୃକ୍ତ ସ୍ୱାମୀ କୃଷ୍ଣ ଓ ଶ୍ବଶୁର ରବୀନ୍ଦ୍ରଙ୍କୁ ଅଟକ ରଖିଥିବାବେଳେ ଶାଶୁ ଫେରାର ହୋଇଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କୃଷ୍ଣଚନ୍ଦ୍ର ଦୀପ୍ତିମୟୀଙ୍କୁ ଗତ 2015 ମସିହାରେ ବିବାହ କରିଥିଲେ । ତେବେ ବିବାହ ସମୟରେ ଦାବି ମୁତାବକ ଯୌତୁକ ଝିଅ ଘର ପକ୍ଷରୁ ଦିଆଯାଇଥିଲା । କିନ୍ତୁ ଅଧିକ ଯୌତୁକ ଦାବି କରି କୃଷ୍ଣଚନ୍ଦ୍ର ନିଜ ବାପା ମା'ଙ୍କ ସହ ମିଶି ବାରମ୍ବାର ଦୀପ୍ତିଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଗତ 12 ତାରିଖରେ ଦୀପ୍ତିଙ୍କ ପରିବାର ଲୋକେ ତାଙ୍କୁ 25000 ଟଙ୍କା ଦେଇଥିଲେ । ତେବେ ଏହି ଟଙ୍କାକୁ ହଡପ କରିବାକୁ ଚେଷ୍ଟା କରିଥିଲେ ଶ୍ବଶୁର ରବୀନ୍ଦ୍ର, ଶାଶୁ ମଞ୍ଜୁଲତା ଏବଂ ସ୍ୱାମୀ କୃଷ୍ଣଚନ୍ଦ୍ର । ଦୀପ୍ତି ଏଥିରେ ରାଜି ନ ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଉପରେ କିରୋସିନି ଢାଳି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସାବିତ୍ରୀ ଅମାବାସ୍ୟାରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details