ନୂଆପଡ଼ା: ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ ଫୁଟିଲା ହସ । ବହୁଦିନର ସ୍ବପ୍ନ ହେଲା ପୂରଣ । ବହୁ ବର୍ଷର ଅଭିଯୋଗ ଆନ୍ଦୋଳନ ପରେ ବାଢୁନପାଣି ଗାଁଲୋକଙ୍କ ଦୁଃଖ ଶୁଣିଲେ ସରକାର । ଅନ୍ଧାରୀ ଇଲାକାରେ ବାସ କରୁଥିବା ଲୋକଙ୍କ ଚାଲିବା ପାଇଁ ନା ଥିଲା ରାସ୍ତା ନା ପିଇବା ପାଇଁ ଥିଲା ଵିଶୁଦ୍ଧ ପାନୀୟଜଳ । ଏପରିକି ବିଜୁଳି ଆଲୁ୍ଅ ଦେଖିବା ତାଙ୍କ ପାଇଁ ପାଲଟିଥିଲା ସାତସପନ । ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଏହି ଗାଁ ଠାରୁ ଦୀର୍ଘ 4କିଲୋମିଟର ପର୍ଯ୍ୟନ୍ତ ନା ଥିଲା ରାସ୍ତା, ନା ଗମନାଗମନ ସୁବିଧା । ଇଏ ହେଉଛି ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 118 କିଲୋମିଟର ଦୂରତା ସିନାପାଲି ବ୍ଲକର ନଗଡା କୁହାଯାଉଥିବା ବାଢୁନପାଣି ଗାଁ ।
ଅବହେଳିତ ବାଢୁନପାଣି ଗାଁଲୋକଙ୍କୁ ମିଳିଲା ମୌଳିକ ଅଧିକାର । କଳାହାଣ୍ଡି ସୀମାନ୍ତକୁ ଲାଗିରହିଥିବା ଏହି ଗାଁରେ ବାସ କରନ୍ତି ଆଦିମ ଜନଜାତି ମାଝୀ ସମ୍ପ୍ରଦାୟ ଲୋକେ । ବାଢୁନପାଣି ଗାଁର ବିକାଶ ପାଇଁ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡ଼କିଆ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ବାରମ୍ବାର ଆନ୍ଦୋଳନ କରି ପ୍ରଶାସନକୁ ଅବଗତ କରି ଆସୁଥିଲେ । ହେଲେ ସୁଫଳ ମିଳିନଥିଲା । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ନୂତନ ସିନାପାଲି BDO ଭାବରେ ସଦାଶିବ ନାଏକ ଯୋଗଦାନ କଲେ । ଏହାପରେ ବାଢୁନପାଣି ଗାଁ BDO ଙ୍କ ଦୃଷ୍ଟିକୁ ଆସିଥିଲା । ବାରମ୍ବାର ଗାଁଲୋକଙ୍କ ଅଭିଯୋଗ ଏବଂ ଇଟିଭି ଭାରତ ବାରମ୍ବାର ଖବର ପ୍ରସାରଣ ପରେ ଶେଷରେ ଶୁଣିଲେ ସରକାର । ତତକ୍ଷଣାତ କ୍ଷେତ୍ର ପରିଦର୍ଶନ କଲେ ସିନାପାଲି BDO । ଆଉ ଜିଲ୍ଲାପାଳଙ୍କୁ ଜଣାଇବାପରେ ଆରମ୍ଭ ହେଲା ବିକାଶର ଧାରା । ଦୀର୍ଘ ଦିନ ଅପେକ୍ଷାର ହେଲା ଅନ୍ତ ।