ଓଡିଶା

odisha

ETV Bharat / state

ବଢୁଛି ତାତି: ଖାଁ ଖାଁ ରାସ୍ତାଘାଟ, ଜନଜୀବନ ଅସ୍ତବ୍ୟସ୍ତ

ଅସମ୍ଭାଳ ଗରମରେ ସିଝୁଛନ୍ତି ନୂଆପଡାବାସୀ । ତାତିରେ ପୋଡିଯାଉଛି ପଥଚାରୀଙ୍କ ମୁହଁ ଓ ଦେହ । ଜଳ କଷ୍ଟ ଦୂର କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ । ନଳକୂପ ମରାମତି ପାଇଁ ଗାଁ ଗାଁ ବୁଲୁଛି ମୋବାଇଲ ଭ୍ୟାନ ।

By

Published : May 9, 2019, 12:37 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ରାଜ୍ୟସାରା ନିଆଁ ଝୁଲ ବର୍ଷୁଛି । ଝାଞ୍ଜି ପବନ ମାଡରେ ଆଉଟୁପାଉଟୁ ରାଜ୍ୟବାସୀ । ଅସମ୍ଭାଳ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ନୂଆପଡାରେ ସକାଳୁ ପ୍ରବଳ ଗୁଳୁଗୁଳି ଆଉ 8ଟା ପରେ ମୁଣ୍ଡ ଫଟା ଖରା । ଅପରାହ୍ନ 5ଟା ଯାଏଁ ଶୂନଶାନ ରହୁଛି ରାସ୍ତାଘାଟ । ସତେ ଯେମିତି ଅଘୋଷିତ କର୍ଫ୍ୟୁ ଜାରି ହୋଇଛି । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ ଲୋକଙ୍କ ଦୁଃଖକୁ ଦ୍ଵିଗୁଣିତ କରିଦେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡା ଜିଲ୍ଲା ଖଡିଆଳ, ବୋଡେନ, କୋମନା, ସିନାପାଲି ଏବଂ ନୂଆପଡା ବ୍ଲକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଗରମରେ ବୃଦ୍ଧ-ବୃଦ୍ଧା ଏବଂ ଛୋଟ ଛୋଟ ଶିଶୁମାନେ ବେଶ ପ୍ରଭାବିତ ହେଉଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ପ୍ରଭାବରେ ଦୋକାନ ବଜାର ଆଦି ବ୍ୟବସାୟୀ ସଂସ୍ଥା ଠପ ହୋଇପଡିଛି । ବିଭିନ୍ନ ସହରକୁ ଯାତାୟାତ କରୁଥିବା ଯାତ୍ରୀମାନେ ଆସୁନାହାଁନ୍ତି । ଯାହାଫଳରେ ନୂଆପଡା, ଖଡିଆଳ ବସଷ୍ଟାଣ୍ଡ ଜନଶୂନ୍ୟ ହୋଇପଡିଛି । ଟାଣ ଖରା ଯୋଗୁଁ ଖାଁ ଖାଁ ଲାଗୁଛି ବସଷ୍ଟାଣ୍ଡ ।

ତାତିରେ ପୋଡିଯାଉଛି ପଥଚାରୀଙ୍କ ମୁହଁ ଓ ଦେହ । ଖରାରୁ ତ୍ରାହି ପାଇବା ପାଇଁ କିଏ ମୁଣ୍ଡରେ ଗାମୁଛା ବାନ୍ଧି ଯାତାୟତ କରୁଛି ତ କିଏ ତରଭୁଜ, ଆଖୁରସ ପିଇ ଶରୀରକୁ ଥଣ୍ଡା କରୁଛି । ସେହିଭଳି ଯୁବକ ଯୁବତୀମାନେ ମୃଦୁ ପାନୀୟଜଳ, କୋଲ୍ଡଡ୍ରିକ୍ସ, ଆଇସକ୍ରିମ ଖାଇ ମନକୁ ହାଲୁକା କରୁଥିବା ଦେଖାଦେଇଛି । ସକାଳ ୮ ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଁଖାଁ ଲାଗୁଛି ।

ପାଣି ପାଇଁ ହାହାକାର ହେଉଛନ୍ତି ଲୋକେ । ସେପଟେ ଜଳ କଷ୍ଟ ଦୂର କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ । ନଳକୂପ ମରାମତି ପାଇଁ ଗାଁ ଗାଁ ବୁଲୁଛି ମୋବାଇଲ ଭ୍ୟାନ । ସରପଞ୍ଚଙ୍କୁ ନିଜ ଅଞ୍ଚଳରେ ଜଳଛତ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଆବଶ୍ୟକ ସ୍ଥଳେ ପାଣି ଅସୁବିଧା ଜନବସତିକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରୁଥିବା ଖଡିଆଳ ବିଡିଓ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details