ନୂଆପଡା: ପୁଣି ଚର୍ଚ୍ଚା ପରିସରକୁ ଆସିଲା ଗର୍ଭବତୀ ଖଟିଆରେ ବୁହା ଭଳି ଅଭାବନୀୟ ଦୃଶ୍ୟ । ଦୁର୍ଗମ ସମାଡପଦର ଗାଁରେ ଖଟିଆରେ ବୁହାହେଲେ ଅସନ୍ନ ପ୍ରସବା । ରାସ୍ତା ସାରା ଝିପଝିପ୍ ବର୍ଷା ଆଉ ଖଟିଆରେ ଜନନୀ ଯନ୍ତ୍ରଣାରେ ଛଟପଟ ମହିଳା ଶେଷରେ ଜଙ୍ଗଲୀ ରାସ୍ତାରେ ପ୍ରସବ କରିଛନ୍ତି । ଏହି ଚିତ୍ର ପୁଣି ଥରେ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୯୦ କିଲୋମିଟର ଦୂରତା ଖଡିଆଳ ବ୍ଲକ ଅନ୍ତର୍ଗତ ସମାଡପଦର ଗାଁ । ସହରଠାରୁ ଏତେ ପାଖରେ ଥାଇ ମଧ୍ୟ ଅପହଞ୍ଚ ଇଲାକା ପରି ଗାଁର ଦୃଶ୍ୟ । ରାସ୍ତାଘାଟ ନଥିବା ବେଳେ, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଅବସ୍ଥା ଦୟନୀୟ । ଏପରିସ୍ଥଳେ ଘାଟି ପାର ହେଲେ ଜୀବନ ବଞ୍ଚେ ।
ଘଟଣା ହେଉଛି ସୋମବାର ରାତିର । ଗ୍ରାମର ମୁକେଶ ମାଝୀଙ୍କ ସ୍ତ୍ରୀ ପ୍ରମିଳା ମାଝୀଙ୍କ ରାତ୍ରି ୮ ଘଣ୍ଟା ସମୟରୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ହେଲେ ଦୁର୍ଗମ ଜଙ୍ଗଲ ପାଦଚଲା ରାସ୍ତା ସାଙ୍ଗକୁ ଝଡି ବର୍ଷା ଦାଉସାଜିଲା । ଚିକିତ୍ସା ପାଇଁ ରାତ୍ରିରେ ପାହାଡ ତଳକୁ ଆଣିବା ସମ୍ଭବପର ହୋଇନଥିଲା । ଭାଗ୍ୟକୁ ଆଦରି ରାତ୍ରିତମାମ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପ୍ରମିଳା ।