ନୂଆପଡା: ବଣ ପାହାଡ ଘେରା ଦୁର୍ଗମ ନୂଆପଡା ଜିଲ୍ଲା ମହୁଲଝରଣ ଗାଁର ମୁଖିଆ ପିଙ୍ଗଲ ସିଂ ମାଝୀ । ବୟସ 85 ବର୍ଷ । କୋରୋନା ବିରୋଧରେ ସରଳ ଭାଷାରେ ସଙ୍ଗୀତ ରଚନା କରି ନିଜେ ଗାଈ ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ଆଉ ପାଲଟିଛନ୍ତି ଆଦିବାସୀ ମୁଲକର କୋରୋନା ଯୋଦ୍ଧା । ସହରର ଚାକଚକ୍ୟରୁ ବହୁ ଦୂରରେ ଥିବା ଏହି ସରଳ ଆଦିବାସୀ ମଧ୍ୟ ସଂଗ୍ରାମୀ ପିଙ୍ଗଲ ସିଂ ମାଝୀଙ୍କ ଗୀତକୁ ସହଜରେ ବୁଝୁଛନ୍ତି ଆଉ ତାଙ୍କ କଥା ମଧ୍ୟ ମାନୁଛନ୍ତି ।
କୋରୋନା ଆତଙ୍କରେ ସାରା ବିଶ୍ବ ଆତଙ୍କିତ ଥିବାବେଳେ ନିଜ ପରିଣତ ବୟସକୁ ଖାତିର ନକରି ଦେଶ ସେବା ପାଇଁ ଅଣ୍ଟା ଭିଡିଛନ୍ତି ପିଙ୍ଗଲ ସିଂ ମାଝୀ । କୋଭିଡ ଯୁଦ୍ଧରେ ସୈନିକ ସାଜି ଲୋକଙ୍କୁ କରୁଛନ୍ତି ସଚେତନ । ସାମାଜିକ ଦୂରତା, ମୁହଁରେ ମାସ୍କ, ଘରେ ରୁହ ସୁସ୍ଥ ରୁହ...ଅତି ଆବଶ୍ୟକ ନ ପଡିଲେ ଘରୁ ନ ବାହାରିବା ପାଇଁ ଗୀତ ମାଧ୍ୟମରେ ଦେଉଛନ୍ତି ବାର୍ତ୍ତା । ଆଉ ତାଙ୍କ ଗୀତ ଶୁଣିବାକୁ ଗାଁ ଦାଣ୍ଡରେ ରୁଣ୍ଡ ହେଉଛନ୍ତି ଛୁଆ ଠୁ ବୁଢା । ଆଉ ସ୍ନେହରେ କହୁଛନ୍ତି ଆସିଗଲେ କୋଭିଡ ଯୋଦ୍ଧା ପିଙ୍ଗଲ ଅଜା । ତାଙ୍କର ଏହି କାର୍ଯ୍ୟ ପାଇଁ ସଭିଏଁ ଖୁବ ପ୍ରଶଂସା କରୁଛନ୍ତି ।