ନୂଆପଡା: ରାଜ୍ୟରେ ପୁଣି ବଢି ଚାଲିଛି କୋରୋନା ସଂକ୍ରମଣ । ମହାମାରୀ ସହିତ ମୁକାବିଲା କରିବା ପାଇଁ ସୋମବାର ରାତି 10ଟାରୁ ନୂଆପଡା ଜିଲ୍ଲାରେ ପାଞ୍ଚ ଘଣ୍ଟା ଧରି ନାଇଟ କର୍ଫ୍ୟୁ କରିଛି ଜିଲ୍ଲା ପ୍ରଶାସନ ।
ନୂଆପଡାରେ ଲାଗିଲା ରାତ୍ରୀକାଳୀନ କର୍ଫ୍ୟୁ ସଂକ୍ରମଣ ବୃଦ୍ଧି ପାଉଥିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆହୋଇଛି । ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ଖଡିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀଙ୍କ ଚତ୍ତ୍ବାବଧାନରେ ଏକ ପୋଲିସ ସ୍କ୍ବାର୍ଡ ଗଠନ କରାଯାଇଛି ।
ଜିଲ୍ଲାର ଥାନା ଛକ,ଆଜାଦ ଛକ,ଗୁରୁନାନକ ଛକ,ବ୍ଲକ ଛକ ଆଦି ଅଞ୍ଚଳରେ ପାଟ୍ରୋଲିଂ କରି ଲୋକଙ୍କୁ ସଚେତନ କରୁଥିବା ଦେଖାଦେଇଛି । ଆବଶ୍ୟକ ସେବାକୁ ଏହି କର୍ଫ୍ୟୁରୁ ବାଦ କରାଯାଇଛି । କର୍ଫ୍ୟୁକୁ ଦୃଷ୍ଟିରେ ରଖି ସହରବାସୀ ମଧ୍ୟ ନିୟମ ମାନି ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଛି । ସରକାର ତଥା ସ୍ଥାନୀୟ ପ୍ରଶାସନର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି ।
ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ଦେଖାଯିବା ନେଇ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ ନିୟମକୁ କଡାକଡି ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ନୂଆପଡା ସମେତ ୯ ଟି ଜିଲ୍ଳାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ