ନୂଆପଡା:ସପ୍ତାହେ ହେଲା ବରଗାଁ ସ୍ଥିତ ୨ ନମ୍ବର ଏବଂ ୪ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା। ନିଜ ପୈତୃକ ଜମିରେ ଅଙ୍ଗନବାଡି କେନ୍ଦ୍ର ହୋଇଥିବା ଅଭିଯୋଗ ଆଣି ଦୁଇ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି ଗାଁର ନବଘନ ବଘେଲ । ଫଳରେ ଖୋଲା ଆକାଶ ତଳେ ଅସୁରକ୍ଷିତ ଭାବରେ ପାଠ ପଢୁଛନ୍ତି କୋମଳମତି ଶିଶୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁରେ । ନବଘନ ବଘେଲ ଦୁଇଟି ଅଙ୍ଗନବାଡି କେନ୍ଦ୍ରକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ପାଠପଢ଼ା ସମୟରେ ହନ୍ତସନ୍ତ ହେଉଛନ୍ତି ଶିଶୁ ଓ ଅଙ୍ଗନବାଡ଼ି କର୍ମୀ ।
ବରଗାଁ ସ୍ଥିତ ୨ ନମ୍ବର ଅଙ୍ଗନବାଡି ସେଣ୍ଟର ନିର୍ମାଣ ହୋଇ ଦୀର୍ଘ ୨୩ ବର୍ଷ ବିତି ଯାଇଥିବା ବେଳେ, ୪ ନମ୍ୱର ଅଙ୍ଗନବାଡି ସେଣ୍ଟର ନିର୍ମାଣ ହୋଇ ଦୀର୍ଘ ୧୦ ବର୍ଷ ବିତିଯାଇଛି । ୨ ଗୋଟି ଅଙ୍ଗନବାଡି ସେଣ୍ଟର ଦୀର୍ଘବର୍ଷଧରି ନିରବଚ୍ଛିନ୍ନ ଭାବରେ ପରିଚାଳିତ ହୋଇ ଆସୁଥିଲା । ହଠାତ ଗାଁର ନବଘନ ବଘେଲ ନାମକ ବ୍ୟକ୍ତି ନିଜ ପୈତୃକ ଜମି ଦାବିକରି ଆଜକୁ ୭ ଦିନହେବ ଅଙ୍ଗନବାଡି ସେଣ୍ଟରରେ ତାଲା ପକାଇ ଅଙ୍ଗନବାଡି ସେଣ୍ଟରକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଅପରପକ୍ଷେ ଉଭୟେ ଅଙ୍ଗନବାଡ଼ି ଦିଦି ଅସୁରକ୍ଷିତ ଭାବରେ ଅନାବନା ବୁଦାମୂଳେ ଖୋଲା ଆକାଶ ତଳେ କୋମଳମତି ଶିଶୁଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି । ବର୍ଷା ପାଣିରେ ଶିଶୁ ମାନେ ଓଦା ହୋଇଯାଉଥିବା ବେଳେ,ପାହାଡିଆ ସ୍ଥାନ ହୋଇଥିବାରୁ ବିଷଧର ଶରୀସୃପ ର ଭୟ ରହିଛି । ଏନେଇ ପ୍ରଶାସନ ଗୁରୁତର ସହକାରେ ତୁରନ୍ତ ଦୃଷ୍ଟି ଦେବାକୁ ଅବିଭାବକମାନେ ଦାବି କରିଛନ୍ତି।