ନୂଆପଡା: କଳକଳ ନାଦରେ ପାହାଡ ଉପରୁ ଖସୁଛି ଝରଣା । ଧଳା ରଙ୍ଗର ଜଳରାଶି ପର୍ଯ୍ୟଟକଙ୍କୁ ଯେମିତି ହାତ ଠାରି ଡାକୁଛି । ନୂଆପଡା ଜିଲ୍ଲାର ବହୁ ପ୍ରସିଦ୍ଧ ଗୋଧସ ଜଳ ପ୍ରପାତ ଯାହା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସୁନାବେଡା ଅଭୟାରଣ୍ୟ ସ୍ଥିତ ଧରାମବନ୍ଧା ଥାନା ଅଧୀନରେ ରହିଛି ଜଳ ପ୍ରପାତ । ନିଘଞ୍ଚ ନିକାଞ୍ଚନ ବନପାହାଡ଼ ଘେରା ମଧ୍ୟରେ ଗୋଧସ ଜଳପ୍ରପାତ ଶୋଭା ପାଉଛି ।
ଚତୁର୍ଦିଗରେ ପ୍ରାକୃତିକ ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କ ମନ କିଣୁଛି । ଗୋଧସ ଜଳପ୍ରପାତ ମନ ଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ସେହି ପାହାଡରେ ରହିଛି ଏକ ମହାଦେବଙ୍କ ମନ୍ଦିର । କେଉଁ ଆବାହନ କାଳରୁ ପଥର ସନ୍ଧିରେ ପୂଜାପାଉଛନ୍ତି ମହାଦେବ । ଏହି ମହାଦେବଙ୍କ ପାଖରେ ଯାହା ମାନସିକ କଲେ ତାହା ମିଳିଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।