ନୂଆପଡ଼ା: ଆଦିବାସୀ ବହୁଳ ଜିଲ୍ଲା ନୂଆପଡ଼ା । କେବଳ ଆଦିବାସୀଙ୍କର ଏଠି ଭିଡ଼ ଜମେ ନାହିଁ, ଅନେକ ସମସ୍ୟା, ରୋଗ, ଏପରିକି ମୌଳିକ ସମସ୍ୟାର ସମାହାର ମଧ୍ୟ ଏଠାରେ ଦେଖିବାକୁ ମିଳେ । ନାନାଦି ରୋଗର ଶିକାର ହୋଇ ନୂଆପଡ଼ାବାସୀଙ୍କ ଶରୀରର ରୂପରେଖରେ ମଧ୍ୟ ପରିବର୍ତ୍ତନ ଆସିଗଲାଣି । କାହାର ଅଣ୍ଟା ନଇଁ ହୋଇଯାଇଛି ତ ଆଉ କାହାର ଆଣ୍ଠୁ, ଗୋଡ଼ହାତ ବଙ୍କା ହୋଇ ଗଲାଣି । ତେବେ ଏହାର କାରଣ ଫ୍ଲୋରାଇଡ ମିଶା ପାଣି ।
ଏହି ସମସ୍ୟା ସମଗ୍ର ଜିଲ୍ଲାରେ ବ୍ୟାପିଛି । ଜିଲ୍ଲାର ସିନାପାଲି, ବୋଡେନ, କୋମନା, ଖଡ଼ିଆଳ, ନୂଆପଡା ବ୍ଲକରେ ଲୋକେ ନିଜ ଅଞ୍ଚଳରେ ଏହି ସମସ୍ୟାରେ ଜୁଝି ହେଉଛନ୍ତି । ଏହାସହିତ ଜିଲ୍ଲାବାସୀ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହୋଇଥିବା ଜଣାପଡେ ।
ସେପଟେ ଡ୍ରିଙ୍କିଂ ଓ୍ବାଟର ସାନିଟେସନ ମିଶନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ନିଶ୍ଚିତ ଭାବେ ନିନ୍ଦିତ କଲା ଭଳି । ପ୍ରକାଶିତ ରିପୋର୍ଟ ଅନୁସାରେ ନୂଆପଡ଼ା ଜିଲ୍ଲାର 663ଟି ଛୋଟ ବଡ଼ ଗାଁ ମଧ୍ୟରୁ 350 ନଳକୂପରେ ଫ୍ଲୋରାଇଡ ମିଶ୍ରଣ ପାଣି । ସେଗୁଡ଼ିକ ମଧ୍ୟରେ ସିନାପାଲି ବ୍ଲକର ନୂଆମାଲପଡ଼ା, ଖାନ୍ଦାପଡ଼ା, ବୈରାଗୀପଡ଼ା, ବାଗପଡ଼ା, ପୋଡପଡ଼ା, ପୋର୍ତ୍ତିପଡ଼ା ଅଞ୍ଚଳରେ ଏହି ଫ୍ଲୋରାଇଡ଼ ମିଶା ପାଣି ଅଧିକ ମାତ୍ରା ରହିଛି । ଫଳରେ ଏହି ପାଣିକୁ ପିଇ ଅଧିକାଂଶ ବାସିନ୍ଦା ମୃତ୍ୟୁମୁଖରେ ପଡ଼ୁଛନ୍ତି ।