ନୂଆପଡ଼ା:ଅନ୍ନଦାତାଙ୍କ ମୁଣ୍ଡରେ ପଡିଛି ପୋକ ଚଡକ । କେତେବେଳେ ଚାଷୀ ନକଲି ମଞ୍ଜି କିଣି ଠକାମିର ଶିକାର ହେଉଛନ୍ତି ତ କେତେବେଳେ ରୋଗପୋକ ଦାଉ ସାଧୁଛି । ଅନେକ ସମୟରେ ଅଭାବୀ ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କିନ୍ତୁ ଏବେ ନୂଆପଡ଼ା ଚାଷୀଙ୍କ ପାଇଁ କାଳ ପାଲଟିଛି ବିପିଏଚ(BPH) ପୋକ । ବିଶେଷ କରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା, ଖାସବାହାଲ, ରାଣୀମୁଣ୍ଡା ଆଦି ଅଞ୍ଚଳରେ ଧାନ ଫସଲ ରୋଗ ପୋକ ଦାଉରୁ ବ୍ୟାପକ କ୍ଷତି ହୋଇଛି ।
କଠିନ ପରିଶ୍ରମ କରି ଧାନ କିଆରୀରେ ସୁନା ଫଳାଇବା ଆଶା ରଖିଥିଲା ଚାଷୀ । ହେଲେ BPH ପୋକ ମାଡରେ ଚାଷୀ ହତାଶ । ଏବେ କେମିତି ଋଣ ଭାର ପରିସୋଧ କରି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ଚାଷୀ କୂଳ । ସାହୁକାର ଠାରୁ ଋଣ, ବ୍ୟାଙ୍କ ଋଣ କରି କିଆରୀରେ ଫସଲ କରିଥିଲା ଚାଷୀ । ଚଳିତ ବର୍ଷ ଭଲ ଅମଳ ହେବ ବୋଲି ଆଶା ବାନ୍ଧିଥିଲା । ହେଲେ ସବୁ ଆଶା ଧୂଳିସାତ ହୋଇଗଲା । ଠିକ ସମୟରେ ରୁଆ ବେଉଷଣ କରି ଧାନ କିଆରୀରେ ସୁନା ଫସଲ ଲହଡି ମାରୁଥିବା ବେଳେ ହଠାତ ଆସି ପହଞ୍ଚିଲା ମାରତ୍ମକ ବିପିଏଚ ପୋକ । ଯାହାକି ରାତି ମଧ୍ୟରେ ହେକ୍ଟର ହେକ୍ଟର ଫସଲ ଖାଇବାର କ୍ଷମତା ରଖନ୍ତି । ଆଉ ପୋକ ଦାଉରୁ ଫସଲ ରକ୍ଷା କରିବାକୁ କାମ ଦେଉନି କୀଟନାଶକ ସିଞ୍ଚନ କି ଅନ୍ୟ କୌଣସି ଉପାୟ ।