ନୟାଗଡ଼:ନୟାଗଡ଼ ପଠାଣି ସାମନ୍ତ ସ୍କୁଲ ଅଫ ନର୍ସିଂର ପରିଚାଳନା କମିଟିର ଅଭ୍ୟନ୍ତରୀଣ ବିବାଦରୁ ଶତାଧିକ ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ବନ୍ଦ କରି ଦିଆଯାଇଛି ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା । ଚିନ୍ତାରେ ଛାତ୍ରଛାତ୍ରୀ । ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ନୟାଗଡ଼ ପଠାଣିସାମନ୍ତ ସ୍କୁଲ ଅଫ୍ ନର୍ସିଂର ଛାତ୍ରଛାତ୍ରୀ । ସ୍କୁଲର ପ୍ରତିଷ୍ଠାତାଙ୍କ ମୃତ୍ୟୁପରେ ଚେୟାରମ୍ୟାନ ପୁରୁଣା ମ୍ୟାନେଜମେଣ୍ଟକୁ ଭାଙ୍ଗି ନୂଆ ମ୍ୟାନେଜମେଣ୍ଟ ଗଠନ କରିଥିବାରୁ ଛାତ୍ରଛାତ୍ରୀ ଶିକ୍ଷକ, କର୍ମଚାରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଏପରିକି ନୂଆ ମ୍ୟାନେଜମେଣ୍ଟ ଆସିବାରେ ହଠାତ ପିଲାଙ୍କ ଅନଲାଇନରେ ଚାଲିଥିବା ପାଠପଢାକୁ 2 ମାସ ହେବ ବନ୍ଦ କରାଯାଇଛି । କୋରୋନା ପାଇଁ ନର୍ସିଂ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଥିବାରୁ ହଷ୍ଟେଲ ଛାଡି ପିଲାମାନେ ଘରେ ରହୁଛନ୍ତି । ଏହାର ସୁଯୋଗ ନେଇ ଚେୟାରମ୍ୟାନ ଏବଂ ସ୍କୁଲ ମାଲିକଙ୍କ ପୁଅ ଲେଡ଼ିଜ ହଷ୍ଟେଲ ଭିତରେ ପଶି ପିଲାଙ୍କର ରହିଥିବା ଆଟାଜ ଭାଙ୍ଗି ଜିନିଷ ଚୋରି କରିନେବା ଓ ଛାତ୍ରୀଙ୍କର ଡ୍ରେସ ଚିରି ଫୋପାଡିବା ଅଭିଯୋଗ କରିଛନ୍ତି ଛାତ୍ରୀ ଓ ଅଭିଭାବକ ମାନେ ।