ନୟାଗଡ:ଲଘୁଚାପ ବର୍ଷାରେ ବେହାଲ ହୋଇ ପଡିଛି ଜିଲ୍ଲାର ବିଭିନ୍ନ ଅଞ୍ଚଳ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ପଞ୍ଚାୟତର ଡାକଢୋଲ ଗ୍ରାମ ଲଗାଣ ବର୍ଷା ପ୍ରଭାବରେ ରାସ୍ତା ଭାଙ୍ଗି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି l ଏହା ସହିତ ଅଞ୍ଚଳର ବିଭିନ୍ନ ରାସ୍ତାର ଦୟନୀୟ ଅବସ୍ଥାରେ କିଛି ବର୍ଷ ହେଲା ପଡ଼ିରହିଛି l ତେବେ ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ପକ୍କାରାସ୍ତାଟିଏ ହୋଇପାରିନାହିଁ l ରାସ୍ତା ପାଇଁ ଲୋକେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ l ହେଲେ ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ସୁଫଳ ମିଳିପାରିନାହିଁ l
ସେପଟେ କଚ୍ଚା ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରିଆସୁଥିବାବେଳେ ଏହି ଲଘୁଚାପ ବର୍ଷା ଫଳରେ ରାସ୍ତା ଭାଙ୍ଗିଯାଇଛି l 2016 ମସିହାରେ ଥୁଆବାରି ଠାରୁ ଆରମ୍ଭ କରି ଡାକଢୋଲ ଗ୍ରାମ ଦେଇ ଆଡିପଡା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଆରମ୍ଭ ହୋଇଥିଲା ମାତ୍ର ଠିକାଦାର ଚାରି କିଲୋମିଟର ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ କରି ଡାକଢୋଲ ଠାରୁ ଆଡିପଡା ପର୍ଯ୍ୟନ୍ତ ରାସ୍ତାକୁ ନ କରି ଛାଡ଼ି ଦେଇଥିଲେ । ଏହା ପରେ ସେହି ଗ୍ରାମର ଲୋକମାନେ ସ୍ଥାନୀୟ ସରପଞ୍ଚ, ବିଧାୟକଙ୍କୁ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କେହି କର୍ଣ୍ଣପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।