ନୟାଗଡ଼: ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରି । ସେଦିନ ମହାତ୍ମା ଗାନ୍ଧୀଙ୍କ ଡାକରାରେ କଣ୍ଡୁରୀ ପରିଡା ଗାଇ ଆଳ ବେଶରେ ଦେଲାଙ୍ଗ ଠାରେ ଯାଇ ପ୍ରଜା ଆନ୍ଦୋଳନର କଥା କହିଥିଲେ । ସେହି ସଭାରୁ ପ୍ରେରଣା ପାଇ ନୟାଗଡ଼ରେ ପ୍ରଜା ଆନ୍ଦୋଳନ ଜୋର ଧରିଥିଲା । ବ୍ରିଟିଶ ମାନଙ୍କର ଅତ୍ୟାଚାର ଅତ୍ୟଧିକ ଓ ଗାଁ ସାହୁକାର ମାନେ ମନଇଚ୍ଛା କର ଆଦାୟ କରିବାରୁ, ଗାଁରେ ଲୋକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଲା । ଭୋକ ଉପାସରେ ରହିଲେ ଲୋକେ । ଶେଷରେ ପ୍ରଜା ଆନ୍ଦୋଳନ ମୁଣ୍ଡଟେକିଥିଲା ନୟାଗଡ଼ରେ ।
ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ପ୍ରଜା ଆନ୍ଦୋଳନ ଜୋରଦାର ହେଲା । ଶେଷରେ ନିଜର ଜମିଦାରୀ ପଦ ହରାଇ ବସିଲେ । ଗାଁର ଅନେକ ଲୋକଙ୍କୁ ଏକାଠି କରି ଗାଁ ଗାଁ ବୁଲି କର ନଦେବାପାଇଁ ଲୋକଙ୍କୁ କହିଲେ । ପ୍ରଜା ଆନ୍ଦୋଳନରେ ଥୁଆବାରି ଗାଁର ପ୍ରତ୍ୟେକ ପରିବାର ସାମିଲ ହେଲା । ମେଳି ହୋଇ ପ୍ରଥମେ ବରକୋଲା ବିଟି ହାଉସକୁ ପୋଡ଼ିଦେଲେ । ଆନ୍ଦୋଳନକାରୀମାନେ ନୂଆଗାଁରେ ପହଞ୍ଚି ସଂଗଠନକୁ ଜୋରଦାର କରିବାପାଇଁ ବୈଠକ କରୁଥିବା ସମୟରେ ପୋଲିସ ଗୁଳିରେ କଷ୍ଠି ଡାକୁଆ ଶହୀଦ ହୋଇଗଲେ ।
ଅନେକ ଲୋକଙ୍କୁ କାରାଗାର ପଠାଇ ଦିଆଗଲା । ନୟାଗଡ଼ ଜେଲରେ ବୁଦ୍ଧ ପରିଡା, ଗାୟ ବେହେରା ସ୍ବାଧୀନତା ସଂଗ୍ରାମୀ ଶହୀଦ ହୋଇଗଲେ । ଅକଥନୀୟ ଅତ୍ୟାଚାର ସହିନପାରି ହରିସାହୁ ଜେଲରେ ପାଗଳ ହୋଇଗଲେ । ବାର ବର୍ଷର ପୁଅ ବୈରାଗୀ ନାୟକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଖତି ସାହୁ ଜେଲ ପାଚେରୀ ଡେଇଁ କେଉଁ ଆଡେ ନିଖୋଜ ହୋଇଗଲେ । ଗାଁରେ ଥିବା ଲୋକଙ୍କୁ ପଣବନ୍ଦୀ କରି ରଖିଲେ । ଖାଇବାକୁ ଦେଲେ ନାହିଁ । ଥୁଆବାରି ଗାଁରୁ 61 ଜଣ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ପ୍ରେମର ଅନନ୍ୟ ଉଦାହରଣ ପାଲଟି ଗଲେ ।