ନୟାଗଡ:ଲଗାଣ ବର୍ଷାରେ ବେହାଲ ନୟାଗଡ । ଜିଲ୍ଲାରେ ଗତ 4 ଦିନ ହେବ ଲାଗି ରହିଛି ବର୍ଷା । ଫଳରେ ଦଶପଲ୍ଲା ଓ ଗଣିଆ ବ୍ଲକର ବିଭିନ୍ନ ଗାଁ ଜଳାର୍ଣ୍ଣବ ହୋଇପଡିଛି । ଗତ ଚାରିଦିନ ମଧ୍ୟରେ ଦଶପଲ୍ଲାରେ ୨୨୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପୂର୍ବରୁ ଖୋଲାଯାଇଥିବା କୁଆଁରିଆ ଜଳ ଭଣ୍ଡାରରୁ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି ।
ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀନାଳରେ ବର୍ଷା ଜଳ ପ୍ରବାହିତ ହେଉଛି । ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତର ଓସ୍ତାଆ, ବସନ୍ତପୁର ଏବଂ ଗୋଚ୍ଛାବାରି ଗାଁ ଜଳମଗ୍ନ ହୋଇଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ଲଗାଣ ବର୍ଷା ଯୋଗୁଁ ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ଏକ ବଡଗଛ ପଡିଯିବାରୁ ଏହି ରାସ୍ତାରେ ୨ ଘଣ୍ଟା ଧରି ଗମନାଗମନରେ ବାଧାପ୍ରାପ୍ତ ହୋଇଥିଲା ।