ନୟାଗଡ: ଜିଲ୍ଲାରେ କିଛି ଏଭଳି ରହିଛି ବାତ୍ୟା ଫନି ପରର ଦୃଶ୍ୟ । ପ୍ରଳୟଙ୍କାରୀ ବାତ୍ୟା ଉଜାଡି ଦେଇଛି ସବୁକିଛି । ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରଣପୁରୁ ବ୍ଲକ । ଭାଙ୍ଗି ଯାଇଛି ସ୍କୁଲ ଓ କଚ୍ଚା ଘର । କେଉଁଠି ଗଛ ଉପୁଡି ପଡିଛି ତ ଅନ୍ୟ କେଉଁଠି ଭାଙ୍ଗିଛି ବାସଗୃହ । ବିଦ୍ୟୁତ ଓ ମୋବାଇଲ ସେବା ସମ୍ପୂର୍ଣ୍ଣ ରୂପେ ଗୁଲ ହୋଇଯାଇଛି । ମାତ୍ର ଏପର୍ଯ୍ୟନ୍ତ ଏମାନଙ୍କ ପାଖରେ ପହଞ୍ଚିନି ସରକାରୀ ସହାୟତା ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ
ଅନ୍ୟପଟେ ବାତ୍ୟା ଅଞ୍ଚଳ ବୁଲି ଦେଖିବା ସହ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି କିଛି ସ୍ଥାନିୟ ରାଜନେତା । ଏ ନେଇ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି ।
ଅପରପକ୍ଷେ ବାତ୍ୟା କ୍ଷୟକ୍ଷତିକୁ ସ୍ଵୀକାର କରିଛନ୍ତି ଜିଲ୍ଲାପାଳ ଏନ ଥିରୁମାଳା ନାୟକ । ସେ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତିର ସମିକ୍ଷା କରିବା ସହିତ ଅବସ୍ଥା ତୁରନ୍ତ ସୁଧାରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ ପାଖରେ ସହାୟତା ପହଞ୍ଚିପାରିନାହିଁ ତୁରନ୍ତ ସେମାନଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲାପାଳ ।
ଏଠାରେ ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲାରେ ବାତ୍ୟା ଫୋନିର ପ୍ରଭାବରେ ଦଶପଲ୍ଲା ବ୍ଲକରେ କାନ୍ଥପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।
ନୟାଗଡରୁ ଉତ୍ପଳ କୁମାର ସାହୁ, ଇଟିଭି ଭାରତ