ନବରଙ୍ଗପୁର: କମ୍ପାନୀ ତରଫରୁ ନିଜ ପ୍ରାପ୍ୟ ପ୍ରଦାନ, ନିଯୁକ୍ତି ପତ୍ର ପ୍ରଦାନ, ଇପିଏଫ ଆକାଉଣ୍ଟ ନମ୍ବର ପ୍ରଦାନ ସହ ଅନ୍ୟାୟରେ ବହିଷ୍କାର କରାଯାଇଥିବା ଦୁଇ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କଲେ କର୍ମଚାରୀ ।
ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ୨୦୧୮ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାରେ 24 ଗୋଟି ଡିଜିଟାଲ ଡିସ୍ପେନ୍ସାରି ଖୋଲା ଯାଇଥିଲା । ସେଥିମଧ୍ୟରୁ ବର୍ତ୍ତମାନ 21ଟି କାର୍ଯ୍ୟକ୍ଷମ ଅଛି । ଏହି ଡିଜିଟାଲ ଡିସ୍ପେନ୍ସାରି ଗୁଡିକ ଗ୍ଲୋକାଲ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଛି । ଗୋଟିଏ ନର୍ସ, ଗୋଟିଏ ଏଏନଏମ ଓ ଅଫିସ ଆସିଷ୍ଟାଣ୍ଟକୁ ନେଇ ଚାଲିଛି କମ୍ପାନୀ । କାର୍ଯ୍ୟକ୍ଷମ ଥିବା 21 ଗୋଟି ଡିଜିଟାଲ ଡିସ୍ପେନ୍ସାରିରେ ୮୪ ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ହେଲେ ଡିଜିଟାଲ ଡିସ୍ପେନ୍ସେରିରେ କାମ କରିବା ପାଇଁ କିଛି ଚାକିରୀ ସର୍ତ୍ତାବଳି ସହ କର୍ମଚାରୀଙ୍କୁ ଚାକିରୀ ଦିଆଯାଇଥିଲା । ସର୍ତ୍ତାବଳି ଅନୁସାରେ ସେଠାରେ ଏଏନଏମ ଓ ଷ୍ଟାଫ ନର୍ସଙ୍କୁ ମାସିକ 16 ହଜାର ଟଙ୍କା ଓ ଅଫିସ ଆସିଷ୍ଟାଣ୍ଟଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ ନେଇ ସ୍ଥିର ହୋଇଥିଲା । ମାତ୍ର ଉପାନ୍ତ ଅଞ୍ଚଳରେ କାର୍ଯ୍ୟକରି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପରେ ମଧ୍ୟ ନିଜ ପ୍ରାପ୍ୟ ଠିକରେ ନ ପାଇ ନିକଟରେ 24 ଜଣ ଚାକିରୀ ଛାଡି ଦେଇଥିଲେ ।