ଓଡିଶା

odisha

ETV Bharat / state

ପାଣି ପାଇଁ ରାଜରାସ୍ତାରେ ଗ୍ରାମବାସୀ

ନବରଙ୍ଗପୁରରେ ପାନୀୟ ଜଳ ଉତ୍କଟ ରୂପ ଧାରଣ କରିଛି । ଯେଉଁଥିପାଇଁ ଜଳ କଷ୍ଟ ଭୋଗୁଛନ୍ତି ଲୋକେ । ମୁନ୍ଦିଏ ପିଇବା ପାଣି ପାଇଁ କରିବାକୁ ପଡୁଛି ବହୁ ସଂଘର୍ଷ ।

By

Published : May 16, 2019, 9:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଖରାରେ ଡହଳବିକଳ ଜନଜୀବନ । ଶୋଷ ମେଣ୍ଟାଇବାକୁ ନାହିଁ ମୁନ୍ଦିଏ ପାଣି । ଆଉ ପାଣି ଟିକକ ପାଇଁ କରିବାକୁ ପଡୁଛି ସଂଗ୍ରାମ । ଏନେଇ ବାରମ୍ବାର ଅଭିଯୋଗ ସତ୍ବେ କୌଣସି ଫଳ ନମିଳିବାରୁ ବାଧ୍ୟହୋଇ ନବରଙ୍ଗପୁର ମୁଖ୍ୟ ଜାତୀୟ ରାଜପଥକୁ ଓହ୍ଲାଇଛନ୍ତି ପାପଡାହାଣ୍ଡି ବ୍ଲକ ଝାଡ଼କୁସୁମୀ ଗ୍ରାମବାସୀ । ଫଳରେ କଳାହାଣ୍ଡି ଠାରୁ ନବରଙ୍ଗପୁର ଗାଡ଼ି ଚଳାଚଳ ଦୀର୍ଘ ସମୟଧରି ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଗାଁରେ ପ୍ରାୟ ୪ ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ କେବଳ ୪ଟି ନଳକୂପ ରହିଛି । ଆଉ ତାହାର ଅବସ୍ଥା ନକହିବା ଭଲ । କେଉଁଟା ଅଚଳ ହୋଇ ପଡିରହିଛି ତ ଆଉ କେଉଁଠି ଦୂଷିତ ପାନୀୟ ଜଳ ନିଷ୍କାସନ ହେଉଛି । ଯାହା ପିଇବା ଯୋଗ୍ୟ ନୁହଁ । ତେଣୁ କୌଣସି ଉପାୟ ନପାଇ ପାଖରେ ଥିବା ନଦୀରୁ କୁଣ୍ଡ ତିଆରି କରି ପାଣି ସଂଗ୍ରହ କରି ସେହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଯଦ୍ବାରା ଗାଁର ବହୁ ଲୋକ ଅନେକ ରୋଗର ଶିକାର ହେଉଛନ୍ତି ।

ଗ୍ରୀଷ୍ମପ୍ରବାହ ଯୋଗୁଁ ଖରାରେ କୁଣ୍ଡ ପାଣି ମଧ୍ୟ ଶୁଖିବାରେ ଲାଗିଛି । ତେଣୁ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଯେଉଁଥିପାଇଁ ବାଲ୍ଟି, ଗରା, ହାଣ୍ଡି, ମାଠିଆ ଆଦି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।

ଗୁରୁବାର ସକାଳୁ ରାସ୍ତାରୋକ କରିବା ସହ ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୁଏ ସେ ପର୍ଯ୍ୟନ୍ତ ଅବରୋଧ ହଟିବନାହିଁ ବୋଲି ଅଡି ବସିଥିଲେ । ଖବରପାଇ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ପହଞ୍ଚି ଖୁବଶୀଘ୍ର ଗାଁରେ ନୂତନ ନଳକୂପ ଖନନ କରାଯିବାର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details