ନବରଙ୍ଗପୁର: ଛାତ୍ରଛାତ୍ରୀଙ୍କ ହାତରେ କୋଡ଼ି କୋଦାଳ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ମହିଳା, ପୁରୁଷ ଓ ବୟସ୍କ ସଭିଏଁ ଲାଗି ପଡିଛନ୍ତି କାଦୁଅ ରାସ୍ତାକୁ ମରାମତି କାମରେ । ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଚେରଚେଟା ପଞ୍ଚାୟତ ପିପଲଗୁଡା ଗ୍ରାମର ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର ଦୀର୍ଘଦିନ ୧୫ ବର୍ଷ ଧରି କାଦୁଅ ରାସ୍ତା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ପିପଲଗୁଡା ଗାଁମବାସୀ ମାତ୍ର କେହି ଶୁଣି ନଥିଲେ । ଶେଷରେ ଗାଁଲୋକେ ନିଜ ଖର୍ଚ୍ଚରେ 3 କିମି ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡିଛନ୍ତି ।
ଏପରିକି ବର୍ଷାଦିନେ ଆସିଲେ, କାଦୁଅ ରାସ୍ତା ଯୋଗୁଁ ଲୋକଙ୍କୁ ବହୁ ହନ୍ତସନ୍ତ ହେବାକୁ ପଡେ । ପ୍ରଶାସନ କାଦୁଅ ରାସ୍ତାକୁ ପକ୍କା କରିବା ତ ଦୂରର କଥା, ରାସ୍ତାରେ ମାଟି କି ମୋରମ ମଧ୍ୟ କିଛି ପଡି ନାହିଁ । ଯାହାଫଳରେ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇଯାଏ । ଯାହା ନ କହିବା ହିଁ ଭଲ ।
ତେବେ ଦୁଇଦିନ ତଳେ ଗାଁର ହିରଣ୍ୟ ଭାତରାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଅଧରାତିରେ ୧୦୮ ଆମ୍ବୁଲାନ୍ସକୁ କଲ କରାଯାଇଥିଲା । ମାତ୍ର କାଦୁଅ ରାସ୍ତା କାରଣରୁ ଆସିପାରି ନଥିଲା ଆମ୍ବୁଲାନ୍ସ । ଶେଷରେ ଆଉ କିଛି ଉପାୟ ନପାଇ ଗାଁଲୋକେ ହିରଣ୍ୟଙ୍କୁ କାନ୍ଦରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୁଷ୍ଟି ଦେବା ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ