ନବରଙ୍ଗପୁର:ସାରା ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପରୀକ୍ଷା ଚାଲିଛି । ପ୍ରଶ୍ନପତ୍ର ନିଅଣ୍ଟ ପାଇଁ ବ୍ଲାକବୋଡ଼ରେ ଲେଖାହୋଇ ପିଲାଙ୍କୁ ପ୍ରଶ୍ନପତ୍ର ଯୋଗା ଯାଉଛି । ଯେପରି ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ନବରଙ୍ଗପୁର ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳର ଚିତ୍ର ଟିକେ ଅଲଗା ।
ସୂଚନା ଅନୁସାରେ, ଉମରକୋଟ ବ୍ଲକ ଅଲମାଗୁଡା ସ୍କୁଲ ଉପସ୍ଥାନରେ ହୋଇଛି ବ୍ୟାପକ ଅନିୟମିତତା । ସମସ୍ତ ପିଲା ଆସିଥିବାର ଉପସ୍ଥାନ ପଡିଛି ଓ ପରୀକ୍ଷା ମଧ୍ୟ ଦେଇଛନ୍ତି । ହେଲେ ସତ ଦେଖିଲା ବେଳକୁ କିଛି ଅଲଗା । ପିଲାମାନେ ସ୍କୁଲ ନଯାଇ କିଏ ସ୍କୁଲ ନିକଟରେ ଗାଈ ଚରାଉଛି ତ କିଏ ବୁଲୁଛି ।
ଏପଟେ ପିଲାଙ୍କୁ ପଚାରିଲେ ଯେଉଁ ଉତ୍ତର ମିଳୁଛି ତାହା ଦେଶର ଜଣେ ଭବିଷ୍ୟତ ଠାରୁ ଆଶା କରାଯାଇନପାରେ । କିଏ କହୁଛି କାଲି ପରୀକ୍ଷା ଦେଇଥିଲି, ଆଜି ବି ପରୀକ୍ଷା ଅଛି ହେଲେ ମା' ମନା କଲେ ବୋଲି ଯାଇନି । ଏମିତିକି ଆଜି କେଉଁ ବିଷୟରେ ପରୀକ୍ଷା ତାହାବି ଠିକ ସେ ଜାଣିନାହାଁନ୍ତି ଛାତ୍ରଛାତ୍ରୀ । ସେପଟେ ଆଉ ଜଣେ ଛାତ୍ର ପଞ୍ଚମ ପରଠୁ 2ବର୍ଷ ହେଲା ପାଠ ନପଢି ଗାଈ ଚରାଉଛି । କାରଣ ଘରେ ଆଉ ପଢ଼ାଇଲେ ନାହିଁ ଓ ଆଗକୁ ପଢ଼ାଇଲେ ମୁଁ ପଢିବି ବୋଲି କହୁଛି ।