ନବରଙ୍ଗପୁର:ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଆତଙ୍କ । ଗତବର୍ଷ ଠାରୁ ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ହାତୀପଲ । ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଏକର ଏକର ଫସଲ ମଧ୍ୟ ନଷ୍ଟ ହେଉଛି । ଗତକାଲି(ଶୁକ୍ରବାର) ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ଶିଉନାପାଲି ଗ୍ରାମରେ ହାତୀପଲ ଆସି ଜଣେ ବୃଦ୍ଧାକୁ ଘରୁ ଟାଣିନେଇ ଦଳି ମାରିଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
କୁନ୍ଦେଇ ବନାଞ୍ଚଳରେ ଗତ ବର୍ଷ ଠାରୁ ଛତିଶଗଡ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏକର ଏକର ଚାଷ ନଷ୍ଟ କରୁଥିଲେ । କିନ୍ତୁ ଗତ କାଲି(ଶୁକ୍ରବାର) ରାତିରେ ଜଣେ ଗ୍ରାମବାସୀଙ୍କୁ ଦଳି ଚକଟି ମାରି ଦେଇଛନ୍ତି । ସୂଚନାଅନୁସାରେ ଗତ ରାତିରେ କୁନ୍ଦେଇ ଥାନା ଅନ୍ତର୍ଗତ ଶିଉନାପାଲି ଗ୍ରାମରେ କିଛି ହାତୀ ପଶି ଆସିଥିଲେ । କୁଡିଆ ଘର ଭିତରେ ଶୋଇଥିବା ସମୟରେ କେଜୁ ଗଣ୍ଡ ନାମକ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଶୁଣ୍ଢରେ ଘରୁ ଟାଣି ନେଇ ହାତୀ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଖବରପାଇ କୁନ୍ଦେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।