ନବରଙ୍ଗପୁର:ରାଜ୍ୟରେ ଶେଷ ହେଉନାହିଁ ‘କାଳିଆ’ କେଳେଙ୍କାରୀ । କେଉଁଠି ଟଙ୍କା ପାଇଁ କିଏ ନକଲି ଚାଷୀ ସାଜିଛି ତ କିଏ ସଜିଛି ଗରିବ । ରାଜ୍ୟ ସରକାରଙ୍କ ତମାମ ଖୋଳତାଡ ସତ୍ତ୍ବେ ‘କାଳିଆ’ ଯୋଜନାରେ ଦୁର୍ନୀତି ବଢିବାରେ ଲଗିଛି । କାରଣ ଏବେ ଜଣେ ହିତାଧିକାରୀଙ୍କୁ ବଞ୍ଚିଥାଉ ଥାଉ ମାରିଦେଇଛନ୍ତି କୃଷି ବିଭାଗର ସରକାରୀ ବାବୁ ମାନେ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ ।
ଘଟଣା ଅନୁସାରେ ଜିଲ୍ଲର ପାପଡାହାଣ୍ଡି ବ୍ଲକ ମଇଦଲପୁର ହାଟପଦା ସାହିରେ ରହୁଛନ୍ତି ସନ୍ତୋଷ ହରିଜନ। ସନ୍ତୋଷ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । କୃଷି ବିଭାଗର ଅପରାଗତା ଯୋଗୁଁ ସେ କାଳିଆ ଯୋଜନାରେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାରଣ ସେ ବଞ୍ଚି ଥାଉ ଥାଉ କୃଷି ବିଭାଗ ତାଙ୍କୁ ମୃତ ଦର୍ଶାଇଛି ।
ସୂଚନା ଅନୁସାରେ ସନ୍ତୋଷ 2019/20 ଆର୍ଥିକ ବର୍ଷରେ କାଳିଆ ଯୋଜନାରେ ଆବେଦନ କରିଥିଲେ । ଆଉ 5 ହଜାର ଟଙ୍କା ମଧ୍ୟ ପ୍ରଥମ ଥର ପାଇଥିଲେ । କିନ୍ତୁ ପରେ ଆଉ କୌଣସି ଟଙ୍କା ଏହି ଯୋଜନାରେ ପାଇନଥିଲେ । ହିତାଧିକାରୀ ତାଳିକାରୁ ବାଦ ପଡିବାରୁ ସନ୍ତୋଷ ଏହାର କାରଣ ଜାଣିବା ପାଇଁ ଅନଲାଇନରେ ଯାଞ୍ଚ କରିଥିଲେ । ଯାଞ୍ଚରୁ ଯାହା ଦେଖିଲେ ସେଥିରେ ସନ୍ତୋଷ ଆଚମ୍ବିତ ହୋଇଯାଇଥିଲେ । କୃଷି ବିଭାଗ ତାଙ୍କୁ ମୃତ ଦର୍ଶାଇ ଯୋଜନାରୁ ବାଦ ଦେଇଛି ।