ନବରଙ୍ଗପୁର:ବେଆଇନ ଗଞ୍ଜେଇ କାରବାର କରି ମାଲେମାଲ ମାଫିଆ ଗୋଷ୍ଠୀ । ସେମାନଙ୍କ ନିକଟରୁ ଜବତ ହେଲା ୧ କୋଟି ୨୨ ଲକ୍ଷ ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି । ନବରଙ୍ଗପୁର ଉମରକୋଟ ଥାନା ଅଞ୍ଚଳରେ ଏଭଳି ଜଣେ କୁବେର ଗଞ୍ଜେଇ ମାଫିଆମାନଙ୍କୁ ଠାବ କରିଛି ପୋଲିସ । ନବରଙ୍ଗପୁର ଏସପି ଏସ. ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସମ୍ପତ୍ତିଗୁଡ଼ିକୁ ଉକ୍ତ ମାଫିଆ ଗୋଷ୍ଠୀ ନିକଟରୁ ସିଜ କରିଛି ପୋଲିସ ।
କୁବେର ଗଞ୍ଜେଇ ମାଫିଆ, ୧ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜବତ କଲା ପୋଲିସ ଏହି ମାଫିଆ ମାନେ ହେଉଛନ୍ତି ଉମରକୋଟ ଥାନା ଧଡରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର ବାଣୁଆଗୁଡା ଗ୍ରାମର ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମ ଚନ୍ଦ୍ର ବିଷୋୟୀ । ତିନି ଗଞ୍ଜେଇ ମାଫିଆଙ୍କ ଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ସିଲ କରିଛି ପୋଲିସ । କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରିଟିଙ୍କ ଠାରୁ ଅନୁମତି ଆଣିବା ପରେ ନବରଙ୍ଗପୁର ଏସପି ଏସ. ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସମ୍ପତ୍ତି ସିଜ କରିଛି ଜିଲ୍ଲା ପୋଲିସ ।
ସିଜ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ୨ଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି । ଏହିଠାରେ ସୂଚନା ଯୋଗ୍ୟ ଯେ ଏହି ଅଭିଯୁକ୍ତ ମାନଙ୍କ ନାମରେ କୋଷାଗୁମୁଡା ଥାନାରେ ୨୦୨୧ ମାର୍ଚ୍ଚ ୨୪ ତାରିଖ ଓ କୋଡ଼ିଙ୍ଗା ଥାନାରେ ୨୦୨୧ ଏପ୍ରିଲ ୧୦ ତାରିଖରେ କେସ ରହିଥିଲା । ଯାହାକୁ ଆଧାର କରି ଗତ ୨୦୨୨ ମେ ପ୍ରଥମ ସପ୍ତାହରେ ନବରଙ୍ଗପୁର ପୂର୍ବତନ ଏସପି ସ୍ମିତ ପରମାରଙ୍କ ୩ ଅଭିଯୁକ୍ତଙ୍କ ସମ୍ପତ୍ତି ସିଜ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ ।
ପାପଡାହାଣ୍ଡି SDPO ଆଦିତ୍ୟ ସେନଙ୍କ ନେତୃତ୍ବରେ ଏହି ସିଜ କରାଯାଇଥିଲା । ଏଥିପୂର୍ବରୁ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ କରିଥିଲା ନବରଙ୍ଗପୁର ପୋଲିସ ।
ଇଟିଭି ଭାରତ, ନବରଙ୍ଗପୁର