ନବରଙ୍ଗପୁର:ଚାରିପଟେ ଘଞ୍ଚ ଜଙ୍ଗଲ । ସାମ୍ନାରେ ନଈର ଅକାତ କାତ ପାଣି । କିନ୍ତୁ କୁନି କୁନି ପିଲାଙ୍କ ଭବିଷ୍ୟତ ପାଇଁ ଏସବୁକୁ ଖାତିର ନ କରି ପ୍ରତିଦିନ ୮ କିଲୋମିଟର ଯାତ୍ରା କରୁଛନ୍ତି ଅଙ୍ଗନବାଡି ଦିଦି । ଦୁଇ ବର୍ଷ ଝିଅକୁ କାଖରେ ଧରି ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚୁଛନ୍ତି । ପିଲାଙ୍କୁ ପାଠ ପଢାଇ ପୁଣି ସେ ନଈ ସେପଟେ ଥିବା ନିଜ ଗାଁକୁ ଫେରୁଛନ୍ତି । ଏହି ଅଙ୍ଗନବାଡି କର୍ମୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କେନ୍ଦୁଗୁଡା ଗ୍ରାମର ନନ୍ଦାଇ ଜାନି । ସେ ମଞ୍ଚାଗାଁ ପଞ୍ଚାୟତ ଅନ୍ତର୍ଗତ ତଲଙ୍ଗ ଗ୍ରାମ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ଏହି ଗାଁକୁ ଯିବାକୁ ରାସ୍ତା ଖଣ୍ଡେ ନଥିବାରୁ ପ୍ରତିଦିନ ଦେଶୀ ଡଙ୍ଗାରେ ନଦୀ ପାର୍ ହୋଇ ୪ କିଲୋମିଟର ପଥୁରିଆ ରାସ୍ତାରେ ଚାଲି ଚାଲି ଆସୁଛନ୍ତି ଦିଦି ।
ତଲଙ୍ଗ ଭଳି ଇନ୍ଦ୍ରାବତୀ ଜଳଭଣ୍ଡାରର ଆରପଟେ ଗୁରୁମାଇଗୁଡା, ଝଲାଗୁଡା, ଟାଙ୍ଗନିକୋଟ ଓ ବଗ୍ରା ଗାଁ ଆଦି ଚାରୋଟି ଗ୍ରାମ ରହିଛି । ଏହିସବୁ ଗ୍ରାମଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏଠାକୁ ଯାତାୟତ ପାଇଁ ରାସ୍ତା ଖଣ୍ଡେ ନାହିଁ । ସରକାରଙ୍କ ଟଙ୍କିକିଆ ଚାଉଳ ହେଉ ଅବା ବାର୍ଦ୍ଧକ୍ୟ ଭତ୍ତା, ଏସବୁ ପାଇବା ପାଇଁ ଏଠାକାର ଲୋକଙ୍କୁ ବଡ କସରତ କରିବାକୁ ପଡେ । ଅଙ୍ଗନବାଡି ଦିଦିଙ୍କ ପରି ପାହାଡିଆ ରାସ୍ତା ଦେଇ ନଈରେ ପ୍ରତିଦିନ ଯିବାଆସିବା କରନ୍ତି ପାଞ୍ଚ ଖଣ୍ଡ ଗାଁ ଲୋକେ । ସଉଦାପତ୍ର, ପନିପରିବା ପାଇଁ ସେମାନେ ଇନ୍ଦ୍ରାବତୀ ବଜାରରେ ଉପରେ ନିର୍ଭର କରନ୍ତି । ବଜାର ଯିବାକୁ ମଧ୍ୟ ସେମାନଙ୍କୁ ନଦୀ ପାର୍ ହେବାକୁ ପଡିଥାଏ ।
ଅଙ୍ଗନବାଡି ଦିଦି ନନ୍ଦାଇ ଜାନି ସବୁଦିନ କାଠ ଡଙ୍ଗାରେ ତଲଙ୍ଗ ଗାଁ ଆସନ୍ତି । ନଦୀ କୂଳରେ ପହଞ୍ଚିବା ପରେ ସେଠାରୁ ଚାଲି ଚାଲି ୪ କିଲୋମିଟର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚନ୍ତି । ପିଲାଙ୍କୁ ପାଠ ପଢାଇ ସାରି ପୁଣି ନଈ ସେପଟେ ଥିବା ନିଜ ଗାଁକୁ ଫେରିଯାଆନ୍ତି । ଏହି କାର୍ଯ୍ୟରେ ତାଙ୍କୁ ସ୍ବାମୀ ରଘୁନାଥ ଜାନି ଖୁବ୍ ସାହାର୍ଯ୍ୟ କରନ୍ତି । ପ୍ରତିଦିନ ଯାତାୟତ ପାଇଁ ତାଙ୍କୁ ଦୈନିକ ୧୦୦ ଟଙ୍କା ଭଡା ଦେବାକୁ ହେଉଥିଲେ ମଧ୍ୟ ପିଲାଙ୍କ ପାଠ ପଢାରେ କେବେ ହେଳା କରନ୍ତିନି ଦିଦି । ଦୁଇ ବର୍ଷର ଝିଅ ସହ ସ୍ବାମୀଙ୍କୁ ସାଙ୍ଗରେ ଧରି ସେ ପ୍ରତିଦିନ ଅଙ୍ଗନବାଡି କେନ୍ଦ୍ରକୁ ଆସିଥାନ୍ତି ।