ନବରଙ୍ଗପୁର:ଉମରକୋଟ ଅପହରଣ ମାମଲାରେ ନୂଆ ମୋଡ । ଏକ କୂଅରୁ ଉଦ୍ଧାର ହେଲା କାର । ଅପହରଣ ନୁହେଁ ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା । ଛତିଶଗଡ କାଙ୍କେରରୁ କୋଣ୍ଡା ଗ୍ରାମକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । କାରଟି ପରିତ୍ୟକ୍ତ କୂଅରୁ ଠାବ ପରେ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଅନୁସାରେ, ଉମରକୋଟ ସହରର ସପନ ସରକାର ଗତ ୧୦ ତାରିଖରେ ଛତିଶଗଡର କାଙ୍କେରକୁ ଭୋଜି ଖାଇବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସମ୍ପର୍କୀୟଙ୍କ ଘର କୋଣ୍ଡା ଗାଁକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା ବେଳେକାଙ୍କେର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ରାସ୍ତାକଡରେ ଥିବା ଏକ କୂଅ ଭିତରୁ କାରକୁ ଠାବ କରିଛି ପୋଲିସ । ତେବେ କୂଅ ଭିତରକୁ କାର କେମିତି ଗଲା ? ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କାରଟିର ଟାୟାର ଫାଟିଯିବାରୁ କୂଅ ଭିତରେ ପଶିଯାଇଥିବା ନେଇ ଅନୁମାନ କରାଯାଉଛି । କୂଅରୁ ପାଣିକୁ ଶୁଖାଯାଇ କାରଟିକୁ ବାହାରକୁ ଅଣାଯାଇଛି । ତେବେ କାରରେ ରହିଥିବା ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।