ନବରଙ୍ଗପୁର: ଭାରତ ସରକାରଙ୍କୁ କ୍ଷେତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆରସିଇପି)ରେ ସ୍ବାକ୍ଷର ନକରିବା ପାଇଁ ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି । ବୁଧବାର ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏଥିରେ ଦର୍ଶା ଯାଇଛି ଯେ, ଭାରତ ସରକାର ଅନ୍ୟ 15 ଦେଶ ସହ ମିଶି କ୍ଷେତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆରସିଇପି) ନାମକ ଏକ ମୁକ୍ତ ବ୍ୟାପାର ବୁଝାମଣା କରିବା ପାଇଁ ଅଗ୍ରସର ହେଉଛନ୍ତି । ଯେଉଁଥିରେ ଆମଦାନି ହେଉଥିବା 80ରୁ 90 ପ୍ରତିଶତ ବସ୍ତୁମାନଙ୍କ ଉପରୁ ଆମଦାନି ଶୁଳ୍କ ଶୂନ କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଯଦି ଏପ୍ରକାର ବୁଝମଣା ପତ୍ର ସ୍ବାକ୍ଷରିତ ହୁଏ ତେବେ, ଭାରତର ଶିଳ୍ପ, କୃଷି ଓ ଗୋପାଳନ ଉପରେ ନକରାତ୍ମକ ପ୍ରଭାବ ପଡିବା ସହ ନୂତନ ଉଦ୍ୟୋଗ, ଜ୍ଞାନକୌଶଳ ଓ ଉଦ୍ଭାବନ କ୍ଷମତାର ସମ୍ଭାବନା ମଧ୍ୟ ଶେଷ ହୋଇଯିବ ।
ଏହାଦ୍ବାରା କେବଳ ଶିଳ୍ପ ଉଦ୍ୟୋଗ ଗୁଡିକ ବନ୍ଦ ହେବ ନାହିଁ ବରଂ ଶ୍ରମିକମାନଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡିବ ଓ ମେକ ଇନ ଇଣ୍ଡିଆ ସ୍ବପ୍ନ ସାକାର ହୋଇପାରିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି ।
ଭାରତର ଗ୍ରାମୀଣ କ୍ଷେତ୍ରରେ ପ୍ରାୟ 10 କୋଟି ଲୋକ ରୋଜଗାର ପାଇଁ ଗୋପାଳନ ଉପରେ ନିର୍ଭର କରନ୍ତି । ନ୍ୟୁଜିଲାଣ୍ଡ, ଅଷ୍ଟେଲିଆରୁ ବିନା ଆମଦାନୀ ଶୁଳ୍କରେ ଦୁଗ୍ଧ ଓ ଆନୁସଙ୍ଗିକ ଦ୍ରବ୍ୟ ଆମଦାନୀ ହେଲେ ଭାରତରେ ଚାଷୀଙ୍କୁ ମିଳୁଥିବା ଦୁଗ୍ଧର ମୂଲ୍ୟ ହ୍ରାସ ପାଇବ । ଏହା ଚାଷୀଙ୍କର ଓ ବିଶେଷ କରି ମହିଳା ଚାଷୀଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପକାଇବ । ଚାଷୀଙ୍କ ରୋଜଗାର ଦ୍ବିଗୁଣିତ ହେବା ପରିବର୍ତ୍ତେ ଅଧା ହୋଇଯିବ । ଅତି କମ୍ରେ 5 କୋଟି ଲୋକ ନିଜର ଜୀବିକା ହରାଇବେ ।