ନବରଙ୍ଗପୁର:ଲାଭବାନ ହେବେ ଜିଲ୍ଲାର ମାଣ୍ଡିଆ ଚାଷୀ । ନବରଙ୍ଗପୁରରେ ଆରମ୍ଭ ହୋଇଛି ମାଣ୍ଡିଆ ମଣ୍ଡି । ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରରେ ଏହି ମଣ୍ଡି ଉଦଘାଟନ ହୋଇଯାଇଛି । ଫଳରେ ମାଣ୍ଡିଆ ଉତ୍ପାଦନକାରୀ ଏହାର ଲାଭ ଉଠାଇ ପାରିବେ ।
ଜିଲ୍ଲାରେ ପ୍ରତିବର୍ଷ ପ୍ରାୟ ସାତ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଛି, କିନ୍ତୁ ଉଚିତ ବଜାର ନଥିବା ଯୋଗୁଁ ଚାଷୀ ମାଣ୍ଡିଆ ବିକ୍ରି କରିବାରେ ଆସୁବିଧାର ସମ୍ମୁଖୀନ ହେଉଥିଲା । ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆ ମଣ୍ଡିର ବ୍ୟବସ୍ଥା କରାଯିବା ପରେ ଚାଷି ଖୁସି ପ୍ରକାଶ କରିଛନ୍ତି । ମଣ୍ଡି ହେବା ଯୋଗୁଁ ଭର ଦୁଇ ପଇସା ରୋଜଗାର କରି ହେବ ବୋଲି ପ୍ରକାଶ କରିଛନ୍ତି ଚାଷୀ । ଜିଲ୍ଲାରେ ଚଳିତ ବର୍ଷ 30 ଟି ସ୍ଥାନରେ ମାଣ୍ଡିଆ ମଣ୍ଡି ଖୋଲାଯାଇଛି । 3ଟି ଲ୍ୟାମ୍ପ ଓ 7ଟି କୃଷକ ଉତ୍ପାଦକ ସଂଘ ଜରିଆରେ ମଣ୍ଡିରୁ TDCC ଦ୍ବାରା ମାଣ୍ଡିଆ କ୍ରୟ କରାଯିବ ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 8877 ଜଣ ଚାଷୀ ମଣ୍ଡିରେ ମଣ୍ଡିଆ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ 25 ହଜାର କୁଇଣ୍ଟାଲ ମାଣ୍ଡିଆ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 2022-23 ଖରିଫ ବର୍ଷ ସକାଶେ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ 3587 ଟଙ୍କା ପ୍ରତି କୁଇଣ୍ଟାଲ ଧାର୍ଯ୍ୟ କରାଯାଇଛି । ମଣ୍ଡିରେ ମାଣ୍ଡିଆ ବିକ୍ରି କରିବାର 3 ଦିନ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ।