ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଥିବା ସରକାରୀ ଜାଗାରେ ବହୁଦିନରୁ ଗଢି ଉଠିଥିବା ଅସ୍ଥାୟୀ ଦୋକାନ ଗୃହ ଉପରେ ଜେସିବି ଚଳାଇଲା ଜିଲ୍ଲା ପ୍ରଶାସନ ।
ଭିଡିଓ ସୌଜନ୍ୟ:ପ୍ରତିନିଧି, ନବରଙ୍ଗପୁର ଗତ 2003ରୁ ଆଦିବାସୀ, ହରିଜନ ସମ୍ପ୍ରଦାୟର ଲୋକମାନେ ଏହି ସରକାରୀ ଜାଗାରେ ଛୋଟ ଛୋଟ ଅସ୍ଥାୟୀ ଦୋକାନ କରି ନିଜର ତଥା ନିଜ ପରିବାରର ପେଟ ପୋଷୁଥିଲେ । ତେବେ ଜିଲ୍ଲା ପ୍ରଶାସନ ରବିବାର ଏହି ଅସ୍ଥାୟୀ ଦୋକାନ ଗୃହ ଗୁଡିକୁ ଜୋର ଜବରଦସ୍ତି ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି ।
2006 ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ, ଯେଉଁମାନେ 13 ଡିସେମ୍ବର 2005 ଆଗରୁ ଘର କରି ରହିଛନ୍ତି ସେମାନଙ୍କୁ ଏଠାରେ ରହିବାର ଅଧିକାର ଦିଆଯିବ ।
କିନ୍ତୁ ରବିବାର ସେମାନଙ୍କ ଘରକୁ ଜୋର ଜବରଦସ୍ତ ଭଙ୍ଗାଯାଇ ସେମାନଙ୍କୁ ତାଙ୍କ ଯାଗାରୁ ବେଆଇନ ଉଚ୍ଛେଦ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏଥିସହ ମିର୍ଗାନୁଗୁଡା ଗ୍ରାମବାସୀ ଯେଉଁ ଜଙ୍ଗଲ ଉପରେ ଭରସା କରି କାଠ , ସରଗି ପତ୍ର , ଛତୁ ,ଭଳି ସାମଗ୍ରୀ ଉପରେ ଭରସା କରି ଚଳୁଥିଲେ ଶନିବାର ସେମାନଙ୍କୁ ମଧ୍ୟ ସେମାନଙ୍କ ଗୋଷ୍ଠୀ ଜଙ୍ଗଲ ଅଧିକାରରୁ ବଞ୍ଚିତ କରାଯାଇଛି ।
ଶନିବାର ଏହା ବିରୋଧରେ ମିର୍ଗାନୁଗୁଡା ଗ୍ରାମବାସୀ, ବ୍ୟବସାୟୀ, ଏବଂ ଏଠାକାର ବାସିନ୍ଦା ମିଶି ରାଜରାସ୍ତାକୁ ଓହ୍ଲାଇଥିଲେ । ଖବର ପାଇ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।
ତେବେ ଯଦି ନିଜ ଜମି ସେମାନଙ୍କୁ ଫେରସ୍ତ ନହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ ବିଶୋଇ ଇଟିଭି ଭାରତ