ନବରଙ୍ଗପୁର: ମୌସୁମୀର ଲୁଚକାଳି ଖେଳରେ ହଜିଯାଇଛି ଚାଷୀଙ୍କ ଭାଗ୍ୟ । ଅନିୟମିତତା ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଚାଷ କାମ ଆଗେଇ ପାରୁନାହିଁ । କିଛି ଜମିରେ ଧାନ ବୁଣା ସରିଗଲାଣି ତ ଆଉ କିଛି ଜମିରେ କେବଳ ଧାନ ତଳି ପକାଇ ଚୁପ୍ ହୋଇ ବସିଛି ଚାଷୀ । ଚଳିତବର୍ଷ ବିଳମ୍ବରେ ମୌସୁମୀ ବର୍ଷା ହେବା ସହ ଆବଶ୍ୟକ ପରିମାଣରେ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ବିଗତ ବର୍ଷ ଗୁଡିକରେ ଏହି ସମୟରେ ଚାଷକାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ଚାଷୀମାନେ ବିହନ ସଂଗ୍ରହ କରି ଧାନବୁଣା ଓ ରୁଆ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 60 ପ୍ରତିଶତ ଚାଷ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ ।