ନବରଙ୍ଗପୁର:ମଦ ଦୋକାନ ଖାେଲିବାକୁ ନେଇ ବିରୋଧ ।ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୧୩ ଓ ୧୪ ଅଞ୍ଚଳରେ ନୂତନ ଭାବେ ଖୋଲିବାକୁ ଥିବା ଏକ ବିଦେଶୀ ମଦ ଦୋକାନ ବିରୋଧରେ ଅଞ୍ଚଳବାସୀ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକ ପତ୍ରରେ ସଂପୃକ୍ତ ଅଞ୍ଚଳରେ ନୂତନ ଭାବେ ମଦ ଦୋକାନ ଖୋଲିବାକୁ ଜୈନିକ ବ୍ୟକ୍ତି ଚେଷ୍ଟା କରୁଥିବାବେଳେ ଏହି ପ୍ରସ୍ତାବିତ ଦୋକାନଟି ଅବକାରୀ ବିଭାଗ ଦସ୍ତାବିଜ୍ ଅନୁସାରେ ୧୫ ନମ୍ବର ୱାର୍ଡ ପାଇଁ ଉଲ୍ଲେଖ ରହିଛି।
ସେପଟେ ବେଆଇନ ଭାବେ ୧୩ ଓ ୧୪ ନମ୍ବର ୱାର୍ଡ ଅଞ୍ଚଳରେ ଏହା ଖୋଳିବା ଆଇନ ସମ୍ମତ ନୁହେଁ । ଏହା ବ୍ୟତୀତ ପ୍ରସ୍ତାବିତ ଅଞ୍ଚଳ ପାରି ପର୍ଶ୍ୟରେ ଉତ୍କଳ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ , ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାର୍ଥୀ ସାଇନ୍ସ କଲେଜ, କଲେଜ ଛାତ୍ର ଛାତ୍ରୀ ଆବାସ ସମେତ ଏହି ୱାର୍ଡରେ ଅଧିବାସୀ ଗାଦବା ବସ୍ତି ଆଦି ଅଞ୍ଚଳ ରହିଛି । ଉକ୍ତ ରାସ୍ତାକୁ ବାଇପାସ୍ ରାସ୍ତା ରୂପେ ବ୍ୟବହାର ହେଉଥିବା ବେଳେ ଏହି ରାସ୍ତା ଦେଇ ଭାରି ଯାନବାହାନ ଯାତାୟାତ କରୁଛି । ପ୍ରସ୍ତାବିତ ମଦ ଦୋକାନ ଆଖପାଖ ଅଞ୍ଚଳରେ ନୂତନ କଲୋନୀ ଗଢି ଉଠିଥିବା ବେଳେ ଅନେକ ସଭ୍ୟ ପରିବାର ବସବାସ କରୁଛନ୍ତି । ଏହି ଅଞ୍ଚଳରେ ନୂତନ ମଦ ଦୋକାନ ଖୋଲାଗଲେ ଛାତ୍ରଛାତ୍ରୀ, ମହିଳା, ଶିଶୁମାନେ ପ୍ରଭାବିତ ହେବା ସହ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ତେଣୁ ଏହି ଦୋକାନ ନ ଖୋଲିବାକୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।