ଓଡିଶା

odisha

ETV Bharat / state

ବିଜେଡିରେ ଅସନ୍ତୋଷ: ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ବେଦବ୍ୟାସ - candidate

ବିଜେଡି ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବରଙ୍ଗପୁର ସମିତି ଅଧ୍ୟକ୍ଷ ତଥା ନବରଙ୍ଗପୁର ଜୋନ 2ର ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା । ଗତ ୨୦ ବର୍ଷ ଧରି ସେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Mar 22, 2019, 6:16 AM IST

ନବରଙ୍ଗପୁର: ଟିକେଟ ବଣ୍ଟାକୁ ନେଇ ବଢୁଛି ଅସନ୍ତୋଷ । ଏପଟେ ଟିକେଟ ପାଇନଥିବା ନେତା ଦଳ ଛାଡିବା ପରେ ବିଦ୍ରୋହୀ ହେବା ଟେନସନ୍ । ସବୁଠାରୁ ବେଶୀ କନ୍ଦଳ ଦେଖିବାକୁ ମିଳୁଛି ବିଜେଡିରେ । ନବରଙ୍ଗପୁର ବିଧାୟକ ପଦ ଟିକେଟ ପାଇଁ ଆଶାୟୀ ଥିବା ବେଦବ୍ୟାସ ଭତ୍ରା ବିଜେଡି ଛାଡିବା ପରେ ଗୁରୁବାର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପୂର୍ବରୁ ସେ ବିଜେଡି ଦଳର ବିଧାୟକ ପଦ ପାଇଁ ଆଶାୟୀ ଭାବେ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ଟିକେଟ ପାଇଁ ଆବେଦନ କରିଥିଲେ । କିନ୍ତୁ ସଦାଶିବ ପ୍ରଧାନଙ୍କୁ ଦଳ ତରଫରୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ବେଦବ୍ୟାସ ଅସନ୍ତୋଷ ପ୍ରକାଶ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବେଦବ୍ୟାସ ପୂର୍ବରୁ ନବରଙ୍ଗପୁର ସମିତି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବାବେଳେ ବର୍ତ୍ତମାନ ନବରଙ୍ଗପୁର ଜୋନ 2ର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ସେପଟେ ବେଦବ୍ୟାସଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନବରଙ୍ଗପୁର ବିଜେଡିରେ ବିଦ୍ରୋହ ଆରମ୍ଭ ହୋଇଥିବା ଦେଖାଦେଇଛି । ଗତ ୨୦ ବର୍ଷ ଧରି ସେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଦଳର ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିଥିବାବେଳେ ଦଳ ତରଫରୁ ଅଣଦେଖା କରାଯାଇଥିବାରୁ ଭୋଟର ଓ ନିଜ ସମର୍ଥକଙ୍କ ପରାମର୍ଶରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି ।

ବେଦବ୍ୟାସ ନବରଙ୍ଗପୁର ବିଜେଡିର ଜଣେ ଟାଣୁଆ ନେତା ଥିବାରୁ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସେହିପରି ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବିଧାନସଭା ଆସନ ପାଇଁ ବିଜେପି ଦଳ ତରଫରୁ ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅପରପକ୍ଷେ ବିଜେପି ଦଳ ପକ୍ଷରୁ ଟିକେଟ ଘୋଷଣା ହୋଇନଥିଲେ ମଧ୍ୟ ସେ ଟିକେଟ ପାଇବା ନେଇ ବିଶ୍ୱାସ ଓ ଦୃଢ଼ ନିଶ୍ଚିତ ଅଛନ୍ତି । ଯେଉଁକାରଣରୁ ସେ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିତ୍ୟାନନ୍ଦ ପ୍ରକାଶ କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ଉମରକୋଟ ଅଞ୍ଚଳ ପଛୁଆ ରହିଥିବା ବେଳେ ବିଜେଡି ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ଏଥିସହ ଉମରକୋଟ ମେଡିକାଲକୁ ସବଡିଭିଜିନାଲ ମେଡିକାଲ ଭାବେ ଘୋଷଣା କରିଥିଲେ ମଧ୍ୟ ସେଥିରେ ବର୍ତ୍ତମାନ ସୁଦ୍ଧା କୌଣସି ଉନ୍ନତି ହୋଇନାହିଁ । ସେହିପରି ବିଗତ ଦିନରେ ଉମରକୋଟକୁ ସବଡିଭିଜନ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନଥିବା ନିତ୍ୟାନନ୍ଦ ଅଭିଯୋଗ କରି ଏହାକୁ ନିର୍ବାଚନ ମୁଦ୍ଦା କରିବେ ବୋଲି କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details