ନବରଙ୍ଗପୁର:ଗଛରେ ଚଢିଛି ଭାଲୁ । ତଳେ ଆତଙ୍କିତ ଅବସ୍ଥାରେ ଲୋକେ । ଭାଲୁକୁ ଘଉଡାଇବା ପାଇଁ ବନ ବିଭାଗ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଭାଲୁ କିନ୍ତୁ ତଳକୁ ଆସିବାର ନାଁ ଧରୁନି । ରାତି ହେଲେ ଭାଲୁ ତଳକୁ ଆସିବ ବୋଲି ବନବିଭାଗ କହିଛି । ଫଳରେ ଅଧିକ ଆତଙ୍କିତ ହୋଇପଡିଛନ୍ତି ଲୋକେ ।
ଏପରି ଏକ ଘଟଣା ଦେଖିବାକୁ ମିଳିଛି, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ । ଗତକାଲି(ଶନିବାର) ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପସି ଆସିଥିଲା ଭାଲୁ । ଜଙ୍ଗଲକୁ ଫେରି ନ ପାରି ଗଛ ଉପରେ ଚଢି ଯାଇଛି ଭାଲୁ । ସେପଟେ ଭାଲୁକୁ ଦେଖିବା ପାଇଁ ଗଛ ତଳେ ଗ୍ରାମବାସୀଙ୍କ ଭିଡ଼ ଜମିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଗତ କିଛି ଦିନ ହେବ ତିନି ଚାରୋଟି ଭାଲୁ ନିୟମିତ ସନ୍ଧ୍ୟା ହେଲେ ଗ୍ରାମ ନିକଟରେ ଥିବା ଫସଲ ନିକଟକୁ ଆସୁଛନ୍ତି ।