ରାଇରଙ୍ଗପୁର: ପ୍ରତି ଓଡ଼ିଆଙ୍କ ଆତ୍ମା ସହ ପଖାଳ ଜଡିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ମଲ୍ଟି ଭିଟାମିନ୍ ଯୁକ୍ତ ପଖାଳର ଉପାଦେୟତାକୁ ବିଶ୍ବ ଦରବାରରେ ପରିଚିତ କରିବା ପ୍ରତେକ ଓଡିଆଙ୍କ ଲକ୍ଷ୍ୟ । ବିଶେଷ ଭାବେ ଖରାଦିନ ଏହି ପଖାଳର ମହତ୍ଵ ଅଧିକ ଥିବାରୁ ପଖାଳ ଦିବସର ବିଶେଷତ୍ବ କୁ ନେଇ ହାଣ୍ଡିଶାଳରୁ ହୋଟେଲ ସବୁଠି ଥାଏ ପଖାଳର ଆସର ଓ ମହକ । ବିଶ୍ବ ପଖାଳ ଦିବସ। ଅବସରରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ସାଂସ୍କୃତିକ ପରିଷଦ ପକ୍ଷରୁ 'ବିଶ୍ବ ପଖାଳ ଦିବସ' ଆୟୋଜନ କରାଯାଇଥିଲା । ଏହାସହ ପଖାଳର ମହତ୍ବ ଏବଂ ଗୁରୁତ୍ବକୁ ନେଇ କଲ୍ୟାଣୀ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ । ପଖାଳ ହେଉଛି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ । ବିଭିନ୍ନ ପ୍ରକାରର ପଖାଳ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗିଥାଏ । ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପୃକ୍ତ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ ।