କେନ୍ଦୁଝର:ମାଉସୀ ଘର ବୁଲି ଆସିଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ପୀଡିତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସେ ଏହି ଅଞ୍ଚଳରେ ଥିବା ନିଜ ମାଉସୀଙ୍କ ଘରକୁ ବୁଲିବାକୁ ଆସିଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ମୁତାବକ, ଗୁରୁବାର ସନ୍ଧ୍ୟାରେ ପୀଡିତା ନିଜ ମାଉସୀ ପୁଅ ଭାଇ ସହ ପାଖ ଛକକୁ ଯାଇଥିଲେ । ଏହି ସମୟରେ ତାଙ୍କର ଭାଇ କୌଣସି କାମରେ ଅନ୍ୟତ୍ର ବାହାରି ଯାଇଥିଲେ । ମହିଳା ଛକ ଉପରେ ଏକାକି ଛିଡା ହୋଇଥିବା ବେଳେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚିଥିଲେ ଓ ବାଇକ୍ ଯୋଗେ ତାଙ୍କୁ ଘରେ ଛାଡି ଦେବେ ବୋଲି କହି ସାଙ୍ଗରେ ନେଇ ଯାଇଥିଲେ ।
ହେଲେ ମାଉସୀ ଘର ଗାଁକୁ ଯିବା ବଦଳରେ ଦୁଇ ଯୁବକ ମହିଳାଙ୍କୁ ଏକ ନିଛାଟିଆ ଆମ୍ବତୋଟାକୁ ନେଇଯାଇଥିଲେ । ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ କରି ପଳାଇ ଯାଇଥିବା ପୀଡିତା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇ ତଦନ୍ତ ଆରମ୍ଭ କରିଛି । ତେବେ ଏ ଯାଏଁ ଏହି ଘଟଣାରେ ସମ୍ପୃକ୍ତ ଥିବା କୌଣସି ଅଭିଯୁକ୍ତ ଧରା ପଡିନାହାନ୍ତି ।