ରାଇରଙ୍ଗପୁର:ପୁଣି ସାମ୍ନାକୁ ଆସିଲା ଜନନୀଯନ୍ତ୍ରଣାର ଦୟନୀୟ ଦୃଶ୍ୟ । ଗାଁରେ ରାସ୍ତାଘାଟର ସୁବିଧା ନଥିବାରୁ ମହିଳାମାନଙ୍କ ଦ୍ବାରା ଖଟିଆରେ ବୁହା ହେଲେ ପ୍ରସୂତି ମହିଳା । ଏହାପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଉଥିବାବେଳେ, ରାସ୍ତାରେ ହିଁ ଶିଶୁ ଜନ୍ମ ହୋଇଛି । ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିବାବେଳେ, ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖମୁଡ଼ିହା ଗ୍ରାମରେ ଘଟିଛି ।
ଖମୁଡିହା ଗ୍ରାମର ପୁରୁଣାପାଣି ସାହିର ବିଜୟ ମୁଣ୍ଡୁରୀଙ୍କ ପତ୍ନୀ ନମିତା ମୁଣ୍ଡୁରୀଙ୍କ ପ୍ରସୂତି ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ରାସ୍ତାର ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇନଥିଲା । ଗ୍ରାମର ମହିଳାମାନେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ପରେ ୧୦୨ ଆମ୍ବୁଲାନ୍ସ ଯୋଗେଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ବାଟରେ ହିଁ ଶିଶୁ ଜନ୍ମ ନେଇଥିଲା ।