ବାରିପଦା: ରଘୁନାଥପୁର ଠାରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ଆକ୍ରମଣକାରୀକୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମହିଳା ମାନେ ବାରିପଦା ଟାଉନ ଥାନା ଘେରାଉ କରିଛନ୍ତି । ଏନେଇ ବୁଧବାର ପ୍ରାୟ ୭୦ରୁ ୮୦ ସ୍ଥାନୀୟ ଅଞ୍ଚଳର ମହିଳାମାନେ ବାରିପଦା ଟାଉନ ଥାନା ସମ୍ମୁଖରେ ଘେରାଉ କରିଛନ୍ତି ।
ରଘୁନାଥପୁର ଠାରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ମହିଳାଙ୍କ ଥାନା ଘେରାଉ ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଆକ୍ରମଣକାରୀ ମାନେ ବାଇକରେ ବିଭିନ୍ନ ମାରଣାସ୍ତ୍ର ସହିତ ସଂଘବଦ୍ଧ ଭାବେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରାୟ ୮ ଜଣ ଯୁବକ ଆହତ ହୋଇଛନ୍ତି । ଆହତଙ୍କୁ ଲହୁଲୁହାଣ ଅବସ୍ଥାରେ ରାସ୍ତା ପାର୍ଶ୍ବ ବୁଦାମୂଳକୁ ପିଙ୍ଗି ଫେରାର ହୋଇଯାଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ପିଆରଏମ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ତେଜିତ ଜନତା ରାସ୍ତାରୋକ କରିଥିଲେ ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । କିନ୍ତୁ ପ୍ରତିଶ୍ରୁତି ପରେ ମଧ୍ୟ ପୋଲିସ କେବଳ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଥିଲା। ଏହାପରେ ମହିଳାମାନେ ଥାନା ଘେରାଉ କରିଛନ୍ତି । ମହିଳା ମାନେ ଘରେ ଥିବା ସମୟରେ ଆଗକୁ ମଧ୍ୟ ଏହିପରି ଘଟଣା ଘଟିବାର ସମ୍ଭାବନା ରହୁଥିବା ବେଳେ ପୋଲିସର ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସମର୍ଥ ହେଉଛି । ପୋଲିସ ଏହି ଘଟଣା ପ୍ରତି ଦୃଷ୍ଟି ଦେଇ ଆକ୍ରମଣକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ।
ଏନେଇ ମହିଳା ମାନେ ଚେତାବନୀ ଦେଇ ଟାଉନ ଥାନା ଘେରାଉ କରିଛନ୍ତି । ଅନ୍ୟପଟେ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ମହିଳା ମାନଙ୍କୁ ବୁଝାସୁଝା କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସମସ୍ତ ଆକ୍ରମଣକାରୀକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ,ମୟୂରଭଞ୍ଜ