ବାରିପଦା:ମୟୂରଭଞ୍ଜ ବିସିପୁର ଠାରେ ମହାବଳ ବାଘ ଛାଲ ଡିଲ୍ ଘଟଣା । ଆଉ ଜଣଙ୍କୁ ଗିରଫ କଲା ଏସଟିଏଫ । ଗିରଫ ଅଭିଯୁକ୍ତ ହେଉଛି ପୂର୍ଣ୍ଣଚନ୍ଦ୍ର ମାଝୀ । ସେ ଉଦଳା ଅଞ୍ଚଳର ଶାସଙ୍ଗବେଡା ଗାଁର ବାସିନ୍ଦା । ତେବେ ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ ।
ଗତ ଡିସେମ୍ବର ୧୪ ରେ ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟ ଉଦଳା ରେଞ୍ଜ ଖୁଣ୍ଟା ଥାନା ଅଞ୍ଚଳର ବିସିପୁର ଠାରେ ଏକ ମହାବଳ ବାଘର ଚମଡା ୫ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିଲା । ଡିଲ ଚାଲୁଥିବା ବେଳେ ଏନେଇ ପୂର୍ବରୁ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଏସଟିଏଫ । ଏହାପରେ ୭ ଜଣିଆ ଏସଟିଏଫ୍ ଟିମ ଡିଲ ସମୟରେ ଚଢାଉ କରି ଜଣେ ବେପାରୀଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିଲା। ଏଥି ସହିତ ପରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଗତକାଲି ଏହି ଘଟଣାରେ ଅନ୍ୟ ଜଣଙ୍କୁ ଗିରଫ କରିବା ପରେ ଗିରଫ ଦାରି ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଅନ୍ୟପଟେ ଏସଟିଏଫ ଟିମ ଦ୍ୱାରା ଅଧିକ ତଦନ୍ତ ପ୍ରକ୍ରିୟା ଜାରି ଥିବା ନେଇ ସୂଚନା ମିଳିଛି। ତେବେ ଆଉ କେଉଁମାନେ ଏଥିରେ ସାମିଲ ଥିଲେ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।
ତେବେ ଜବତ ବାଘ ଚମଡା ଏକ ୫ବର୍ଷ ବୟସର ବାଘର ହୋଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରାୟ ମାସକ ପୂର୍ବରୁ ଏହାକୁ ଶିକାର କରାଯାଇଥିବା ଖବର ମିଳିଛି । ବାରିପଦାରେ ରହୁଥିବା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ଦ୍ବାରା ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏକ ବାଘକୁ ମରାଯାଇ ତାର ଚମଡା ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଏହି ଖବରପାଇ ଭାନୁମିତ୍ର ବେପାରୀଙ୍କ ସହ ୫ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ । ସମସ୍ତ ବିଷୟରେ ଏସଟିଏଫକୁ ଜଣାଇଥିଲେ ।