ରାଇରଙ୍ଗପୁର:ପୂର୍ବତନ ବିଧାୟକଙ୍କ ଠାରୁ ଟଙ୍କା ଲୁଟ୍ କରିଛନ୍ତି ତିନିଜଣ ଅଜଣା ଦୁବୃର୍ତ୍ତ । ସ୍ପଷ୍ଟ ଦିବାଲୋକରେ ଲୁଟର ଶିକାର ହୋଇଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବ୍ରାହ୍ମଣବୋଷ ଗ୍ରାମରେ । ସୂଚନାନୁଯାୟୀ ରାଇରଙ୍ଗପୁରର ପୂର୍ବତନ ବିଧାୟକ ଶାଇବା ସୁଶୀଲ ହାଁସଦା ନିଜ ସମ୍ପର୍କୀୟଙ୍କ ଠାରୁ ନଗଦ ୮୦ ହଜାର ଟଙ୍କା ନେଇ ଏକ ସ୍କୁଟି ଯୋଗେ ତାଙ୍କ ଗ୍ରାମ ବ୍ରାହ୍ମଣବୋଷକୁ ଫେରୁଥିଲେ ।
ତେବେ ଗମ୍ଭାରିଆରୁ ତାଙ୍କ ଘରକୁ ଯିବା ବାଟରେ ଏକ ଶୂନଶାନ୍ ସ୍ଥାନରେ ତିନିଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ବାଇକରେ ଆସି ପୂର୍ବତନ ବିଧାୟକଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଲୁଟି ନେଇ ଦ୍ରୁତ ଗତିରେ ଖସି ପଳାଇ ଯାଇଥିଲେ । ତେବେ ଏନେଇ ବହଳଦା ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ବହଳଦା ଥାନା ପୋଲିସକୁ ଖବର ଦିଆ ଯାଇଥିଲା ।