ବାରିପଦା: ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱ କୋରୋନା ମହାମାରୀ ସହ ଲଢୁଥିବା ବେଳେ ଅବକ୍ଷୟମୁଖୀ ଜଙ୍ଗଲ ସମ୍ପଦ ସୁରକ୍ଷା ନେଇ ଚିନ୍ତାରେ ସମଗ୍ର ବିଶ୍ୱ । ଦିନକୁ ଦିନ ଜଙ୍ଗଲ ସମ୍ପଦର ଆଶାତୀତ ଅବକ୍ଷୟ ଅସୁନ୍ତଳିତ ପରିବେଶ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବିଶ୍ୱବ୍ୟାପୀ ବ୍ୟାପକ ଜଙ୍ଗଲ ସୃଷ୍ଟି ସହ ଜଙ୍ଗଲ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ହେଉଛି । ଆଜି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମଜୟନ୍ତୀରେ ନିଆରା ଢଙ୍ଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆଗଡା ଗ୍ରାମର ଚିତ୍ରକର ସମରେନ୍ଦ୍ର ବେହେରା ।
ସେ ନିଜ ଘର ବାଡ଼ିରେ ଥିବା ଏକ ଗମ୍ଭାରୀ ଗଛରେ ଗୋପବନ୍ଧୁଙ୍କ ଚିତ୍ର ଆଙ୍କିଛନ୍ତି । ଗଛରେ ଆଙ୍କିଥିବା ଚିତ୍ରରେ କୌଣସି କେମିକାଲ ରଙ୍ଗ ବ୍ୟବହାର କରିନାହାନ୍ତି ସମରେନ୍ଦ୍ର । ଗଛର ଗଣ୍ଡକୁ ଏକ ଛୁରୀ ସାହାଯ୍ୟରେ ଖୋଦେଇ ଆଙ୍କିଛନ୍ତି ଚିତ୍ର । ତେବେ ଆଗାମୀ ଦିନରେ ଏଭଳି ଅନେକ ଗଛରେ ମହାପୁରୁଷଙ୍କ ଚିତ୍ର ଆଙ୍କି ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସମରେନ୍ଦ୍ର ।