ରାଇରଙ୍ଗପୁର :୨୫ କିଲୋମିଟର ଚାଲିଲେ ସ୍କୁଲ ଛାତ୍ର । ପାଖାପାଖି ୫୦ ଜଣ ଛାତ୍ର ୨୫ କିଲୋମିଟର ଚାଲିଚାଲି ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ରାଜ୍ୟ ସରକାର 5T ଉପକ୍ରମରେ ସ୍କୁଲଗୁଡ଼ିକର ଉନ୍ନତିକରଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟି ଚାଲୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି ।
କରଞ୍ଜିଆ ବ୍ଲକ ଦୁଧିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ନାହିଁ, ସ୍କୁଲ୍ ଚାରିପାଖରେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହୋଇଛି । ଫଳରେ ଏକ ଶୈଖିକ ପରିବେଶ ସୃଷ୍ଟି ହେଉନି। ବିଦ୍ୟାଳୟର କୌଣସି ପାଚେରୀ ନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନି। ଏଭଳି ସମସ୍ୟା ନେଇ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟ ଛାତ୍ରମାନେ ଦୀର୍ଘ ୨୫ କିଲୋମିଟର ଚାଲିଚାଲି ଆସି କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ ସମସ୍ୟା ଅବଗତ କରାଇବା ସହ ଧାରଣାରେ ବସିଥିଲେ। ପୁରୁଣାପାଣି ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ପାଇଁ ନଳକୂପ ଖନନ, ବିଦ୍ୟାଳୟ ଚାରିପାଖରେ ଜଙ୍ଗଲ ଥିବାରୁ ସୁରକ୍ଷା ପାଇଁ ପାଚେରୀ ନିର୍ମାଣ ଓ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରିବାକୁ ଛାତ୍ରମାନେ ଜିଦ୍ ଧରି ବସିଥିଲେ ।