ବାରିପଦା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁକୁ ଦୃଷ୍ଟିରେ ରଖି ରବିବାରଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶିମିଳିପାଳକୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ଏଥିସହ ଚଳିତ ବର୍ଷରେ ସର୍ବାଧିକ ଆୟ ଏକ କୋଟିରୁ ଉର୍ଦ୍ଧ୍ବ ହୋଇଥିବା ମଧ୍ୟ ସୂଚନା ଦେଇଛି ବନ ବିଭାଗ ।
ଗଣନା ଅନୁଯାୟୀ 2017 ନଭେମ୍ବର ପହିଲାରୁ 2018 ଜୁନ୍ 15 ପର୍ଯ୍ୟନ୍ତ 33 ହଜାର 401 ଜଣ ପର୍ଯ୍ୟଟକ ଶିମିଳିପାଳ ଭିତରକୁ ପ୍ରବେଶ କରିଥିଲେ ଏବଂ ସେଥିରେ 11 ଜଣ ବିଦେଶୀ ପର୍ଯ୍ୟଟକ ରହିଥିଲେ । ଅନ୍ୟପଟେ 2018 ନଭେମ୍ବର ପହିଲାରୁ 2019 ଏପ୍ରିଲ ମାସ ମଧ୍ୟରେ 28 ହଜାର 882 ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ 30 ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି ।