ଓଡିଶା

odisha

ETV Bharat / state

ବିପଦ ସଂକୁଳ ଅବସ୍ଥାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ - Rairangpur

ସର୍ବଶିକ୍ଷା ଅଭିଯାନ ଏକ ମିଛିମିଛିଆ ଯୋଜନା ବୋଲି ଏହି ଦୃଶ୍ୟ ଦେଖିଲେ ଆପେ ଆପେ ବୁଝିଯିବେ । ଭଙ୍ଗା ଛାତ ତଳେ ଗଢା ଚାଲିଛି ଛୋଟଛୋଟ ପିଲାଙ୍କ ଭବିଷ୍ୟତ । ଏଭଳି ଦୃଶ୍ୟ ଯେତିକି ଚିନ୍ତାଜନକ ସେତିକି ଅଭାବନୀୟ ।

ଫୋଟ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Jul 16, 2019, 5:44 PM IST

ରାଇରଙ୍ଗପୁର: ସର୍ବଶିକ୍ଷା ଅଭିଯାନ ଏକ ମିଛିମିଛିଆ ଯୋଜନା ବୋଲି ଏହି ଦୃଶ୍ୟ ଦେଖିଲେ ଆପେ ଆପେ ବୁଝି ଯିବେ । ଯୋଜନାର କିଭଳି ମଜା ଉଡେଇଛନ୍ତି ସରକାର, ଏହି ଦୃଶ୍ୟ ଆପଣଙ୍କୁ ସ୍ପଷ୍ଟ କରିଦେବ । ସ୍କୁଲ ଘରର ଯେଉଁଠି କାନ୍ଥ ଓ ଛାତ ଭାଙ୍ଗି ଆଁ କରିଛି । ସେହି ଭଙ୍ଗା ଛାତ ତଳେ ଗଢା ଚାଲିଛି ଛୋଟଛୋଟ ପିଲାଙ୍କ ଭିବଷ୍ୟତ । ଏଭଳି ଦୃଶ୍ୟ ଯେତିକି ଚିନ୍ତାଜନକ ସେତିକି ଅଭାବନୀୟ । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ମୁଣ୍ଡାଠାକୁରା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କଥା । ଯେଉଁଠି ବିଦ୍ୟାଳୟର ଶ୍ରେଣୀ ଗୃହ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ଦୁର୍ଘଟଣା ଘଟି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

୧୯୫୧ ମସିହାରେ ସ୍ଥାପିତ ହୋଇଥିଲା ଜିଲ୍ଲାର ଏହି ସର୍ବପୁରାତନ ବିଦ୍ୟାଳୟ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟଟି ସ୍ଥାପିତ ହୋଇ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଣ୍ଡାଠାକୁରା ଆଶ୍ରମ ସ୍କୁଲ ନାମରେ ପରିଚିତ ଥିଲା । କିନ୍ତୁ ଗତ ଦୁଇ ବର୍ଷ ହେବ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନବମ ଓ ଦଶମ ଶ୍ରେଣୀକୁ ମିଶାଯାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ନାମରେ ନାମକରଣ କରାଗଲା । ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ଛାତ୍ର ଛାତ୍ରୀ ମାନେ ଭୁଇଁରେ ବସି ପାଠ ପଢ଼ୁଥିବା ବେଳେ ଏପର୍ଯ୍ୟନ୍ତ ବେଞ୍ଚର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ ।

ଆଜକୁ ଦୀର୍ଘ 68 ବର୍ଷ ପୁର୍ଣ୍ଣ ହୋଇଗଲା ପରେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଯାଇଥିବା ପୁରୁଣା ଗୃହରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ତେବେ ସ୍କୁଲରେ ମୁଖ୍ୟ ସମସ୍ୟା ରହୁଛି ଶ୍ରେଣୀ ଗୃହ ଏବଂ ଅଫିସ ଗୃହ କାନ୍ଥରେ ଫାଟ ସୃଷ୍ଟି ହେବା । ଅଫିସ ଗୃହ ଓ ଶ୍ରେଣୀ ଗୃହ ର ଛାତରୁ ମଝିରେ ମଝିରେ ସିମେଣ୍ଟ ପ୍ଲାଷ୍ଟର ଖସି ପଡୁଛି । ଫଳରେ ଶ୍ରେଣୀ ଗୃହରେ ବସି ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ମଣୁ ନାହାଁନ୍ତି ତଥା ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କର୍ଣ୍ଣପାତ ଦେଉନାହାଁନ୍ତି ଉଚ୍ଚଅଧିକାରୀ ।

ସାମାନ୍ୟ ବର୍ଷା ହେଲେ ସ୍କୁଲ ଗୃହରେ ପାଣି ମଧ୍ୟ ପଶି ଯାଉଥିବା ଦେଖାଦେଇଛି । କିଛି ଦିନ ପୂର୍ବରୁ ଅଫିସରେ ବସିଥିବା ସମୟରେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ଦୁଇଜଣ ଶିକ୍ଷୟିତ୍ରୀ ଆହତ ହୋଇଥିଲେ । ରଞ୍ଜିତା ବେହେରା ନାମକ ଜଣେ ଶିକ୍ଷୟତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ ଜଣେ ଶିକ୍ଷୟତ୍ରୀ ସୁନୀତା ମୁର୍ମୁଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗି ମୁଣ୍ଡ ଫୁଲି ଯାଇଥିଲା । ସେହି ସମୟରେ ରଞ୍ଜିତା ବେହେରାଙ୍କ ତିନି ବର୍ଷର କୁନି ଝିଅଟି ତାଙ୍କ ସହିତ ଥିଲା କିନ୍ତୁ ଝିଅଟି ଅଳ୍ପକେ ବର୍ତ୍ତି ଯାଇଥିଲା ।

ସ୍କୁଲ ଗୃହର ସ୍ତମ୍ଭ ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ତେବେ ଅଫିସ ଗୃହ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ପର୍ଯ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଅଛି । ଏଭଳି ବିପଦଜନକ ଅବସ୍ଥାରେ ଗୃହ ଗୁଡିକ ଥିବାବେଳେ ଅଭିଭାବକ ମାନେ ନିଜର ପିଲାମାନଙ୍କୁ ସ୍କୁଲକୁ ଛାଡିବା ପାଇଁ ସୁରକ୍ଷିତ ମନେ କରୁନାହାଁନ୍ତି । ଏସମ୍ପର୍କରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ସାକ୍ଷାତ କରି ପଚାରିବାରୁ ସେ ଖୁବ ଶୀଘ୍ର ପୁରୁଣା ଘରକୁ ଭାଙ୍ଗି ନୂଆ ଘର ନିର୍ମାଣ କରିବା ସହିତ ଅନ୍ୟାନ୍ୟ ମରାମତି କାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଆଗକୁ ତାଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି ସେଥିରେ ସମସ୍ତଙ୍କ ନଜର ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details