ରାଇରଙ୍ଗପୁର:ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ମାଳ ମାଳ ଯୋଜନା । ତଥାପି ଆଜି ବି ଅନେକ ଗାଁକୁ ନାହିଁ ଖଣ୍ଡେ ଭଲ ରାସ୍ତା । ଏପରି ଏକ ଗ୍ରାମ ହେଉଛିମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଖନ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁରଥନଗର । ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ ସୁରଥନଗର ଗାଁ । ଏଠାରେ ୨୨ ଟି ପରିବାର ବସବାସ କରନ୍ତି । ଏହି ଗାଁର ସବୁଠୁ ବଡ ସମସ୍ୟା ହେଉଛି ରାସ୍ତା । ଗାଁକୁ ଯିବାକୁ ହେଲେ ଖଣ୍ଡେ ଭଲ ରାସ୍ତା ନାହିଁ । ବର୍ଷା ଦିନେ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ଗର୍ଭବତୀ ମହିଳା ଓ ରୋଗାକ୍ରାନ୍ତ ଲୋକଙ୍କୁ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଉଛି । ଗାଁର ଛାତ୍ରଛାତ୍ରୀ ମଧ୍ୟ କାଦୁଅ ପଚ ପଚ ରାସ୍ତାରେ ବିପଦ ସଙ୍କୁଳ ଭାବେ 3 କିଲୋମିଟର ଦୂର ସ୍କୁଲକୁ ଯାତାୟାତ କରୁଥାନ୍ତି ।
ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ନଗରୀ ମାୟାନଗରୀକୁ ଯାଇ ନିଜର ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ କଳାକାର ରାମ ସିର୍କାଙ୍କ ଘର ହେଉଛି ଏହି ସୁରଥନଗର ଗାଁରେ । ମୁମ୍ବାଇରୁ ଫେରିଲେ ଖାଲ ଢ଼ିପ ରାସ୍ତା ଦେଇ ସେ ନିଜ ଘରକୁ ଯାଇଥାନ୍ତି । ଗାଁର ଏଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ରାମସିର୍କା ପ୍ରଶାସନର ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି । ନିର୍ବାଚନ ଆସିଲେ ନେତାମନ୍ତ୍ରୀ ଗାଁକୁ ଆସିଥାନ୍ତି ଏବଂ ମାଳ ମାଳ ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ନିର୍ବାଚନ ସରିଲା ପରେ କାହାରି ଦେଖା ମିଳେନାହିଁ । ରାସ୍ତା ପାଇଁ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଫଳ ଶୂନ । ବଲିଉଡ କଳାକାର ରାମ ସିର୍କା ନିଜେ ଗ୍ରାମବାସୀଙ୍କ ସହ ସରକାରୀ ଦପ୍ତରରୁ ଦପ୍ତର ରାସ୍ତାଟିଏ ପାଇଁ ଚକ୍କର କାଟୁଛନ୍ତି । ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଯାଇ ଏକ ଦାବିପତ୍ର ଦେବା ସହ ଗାଁକୁ ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।