ରାଇରଙ୍ଗପୁର: କୋରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଚଳିତବର୍ଷ ମଧ୍ୟ ରଜ ପର୍ବ ଫିକା ପଡିଛି । ମୟୂରଭଞ୍ଜ ବିଶୋଇ ଠାରେ ନିଆରା ଢଙ୍ଗରେ ରଜ ପର୍ବ ପାଳିତ ହୋଇଯାଇଛି । ଓଡିଶାର ପାରମ୍ପାରିକ ଗଣ ପର୍ବ ‘ରଜ’ ପର୍ବରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ନିୟମ ପାଳନ ସହ ମୁଖ୍ୟତଃ କୁଆଁରୀ କନ୍ୟାମାନଙ୍କ ପର୍ବକୁ ଫିକା ପଡିବାକୁ ଦେଇନାହାନ୍ତି ବିଶୋଇ ଅଞ୍ଚଳର ଯୁବ ସମାଜସେବୀ ଦେବବ୍ରତ ସିଂ । ୨୦୨୦ ମସିହା ରଜ ରୁ କୋରୋନା କାଳରେ ରଜ ପର୍ବ ପାଳନ ଉପଲକ୍ଷେ ଏକ ଅନଲାଇନ ପ୍ରତିଯୋଗିତା "ବିଶୋଇ ରଜ କୁଇନ" ଅନୁଷ୍ଠିତ ହୋଇଆସୁଅଛି ।
ଏହି ପ୍ରତିଯୋଗିତାରେ ମୟୂରଭଞ୍ଜର ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । ୮ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କର ରଜ ପର୍ବ ସମ୍ପର୍କିତ ସମସ୍ତ ଅଭିନୟ ''ବିଶୋଇ ରଜ କୁଇନ'' ସୋସିଆଲ ସାଇଟରେ ପୋଷ୍ଟ କରାଯାଇଥିଲା । ରଜ କୁଇନ ଚୟନ କମିଟିରେ ଥିବା ଜଜ ମାନେ ମାର୍କ ଦେବା ପରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଚଳିତ ବର୍ଷ ରଜ କୁଇନ ଭାବେ ଅନିଭା ଲେଙ୍କା ବିଜେତା ହୋଇଥିବା ବେଳେ ପାୟଲ ସେଠୀ ଦ୍ଵିତୀୟ ଓ ଗାୟତ୍ରୀ ଗଙ୍ଗା ତୃତୀୟ ସ୍ଥାନ ଅଧିକାର କରିଥଲେ ।